ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ନବମ ସ୍କନ୍ଧ ॥
ଦଶମ ଅଧ୍ୟାୟ
ଭଗବାନ ଶ୍ରୀରାମଙ୍କ ଲୀଳାଚରିତ୍ରର ବର୍ଣ୍ଣନ
ଶ୍ରୀଶୁକ ଉବାଚ
ଖଟ୍ୱାଙ୍ଗାଦ୍ଦୀର୍ଘବାହୁଶ୍ଚ
ରଘୁସ୍ତସ୍ମାତ୍ପୃଥୁଶ୍ରବାଃ ।
ଅଜସ୍ତତୋ
ମହାରାଜସ୍ତସ୍ମାଦ୍ଦଶରଥୋଽଭବତ୍ ॥ ୧॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ଖଟ୍ୱାଙ୍ଗଙ୍କର ପୁତ୍ର ଥିଲେ ଦୀର୍ଘବାହୁ ଏବଂ ତାଙ୍କର ପୁତ୍ର ଥିଲେ
ପରମ ଯଶସ୍ବୀ ରଘୁ | ରଘୁଙ୍କର ପୁତ୍ର ଅଜ ଏବଂ ଅଜଙ୍କର ପୁତ୍ର ମହାରାଜ ଦଶରଥ ଥିଲେ |
ତସ୍ୟାପି ଭଗବାନେଷ
ସାକ୍ଷାଦ୍ବ୍ରହ୍ମମୟୋ ହରିଃ ।
ଅଂଶାଂଶେନ
ଚତୁର୍ଧାଗାତ୍ପୁତ୍ରତ୍ୱଂ ପ୍ରାର୍ଥିତଃ ସୁରୈଃ ।
ରାମଲକ୍ଷ୍ମଣଭରତଶତ୍ରୁଘ୍ନା
ଇତି ସଞ୍ଜ୍ଞୟା ॥ ୨॥
ଦେବତାମାନଙ୍କର
ପ୍ରାର୍ଥନା ସ୍ବୀକାର କରି ସାକ୍ଷାତ୍ ପରବ୍ରହ୍ମ ପରମାତ୍ମା ଶ୍ରୀହରି ହିଁ ନିଜ ଅଂଶାଂଶରେ
ଚତୁର୍ଦ୍ଧା ରୂପ ଧାରଣ କରି ରାଜା ଦଶରଥଙ୍କର ପୁତ୍ର ହୋଇଥିଲେ | ସେମାନଙ୍କର ନାମ ଥିଲା – ରାମ, ଲକ୍ଷ୍ମଣ, ଭରତ ଏବଂ
ଶତ୍ରୁଘ୍ନ |
(ଜାନକୀଜୀବନସ୍ମରଣଂ
ଜୟ ଜୟ ରାମ ରାମ )
ତସ୍ୟାନୁଚରିତଂ
ରାଜନ୍ନୃଷିଭିସ୍ତତ୍ତ୍ୱଦର୍ଶିଭିଃ ।
ଶ୍ରୁତଂ ହି
ବର୍ଣିତଂ ଭୂରି ତ୍ୱୟା ସୀତାପତେର୍ମୁହୁଃ ॥ ୩॥
ପରୀକ୍ଷିତ !
ସୀତାପତି ଭଗବାନ ଶ୍ରୀରାମଙ୍କର ଚରିତ୍ର ସମ୍ବନ୍ଧରେ ତ ତତ୍ତ୍ବଦର୍ଶୀ ଋଷିମାନେ ବହୁତ କିଛି
ବର୍ଣ୍ଣନା କରିଛନ୍ତି ଏବଂ ତୁମେ ମଧ୍ୟ ତାହା ଅନେକ ବାର ଶ୍ରବଣ କରିଛ |
ଗୁର୍ୱର୍ଥେ
ତ୍ୟକ୍ତରାଜ୍ୟୋ ବ୍ୟଚରଦନୁବନଂ ପଦ୍ମପଦ୍ଭ୍ୟାଂ ପ୍ରିୟାୟାଃ
ପାଣିସ୍ପର୍ଶାକ୍ଷମାଭ୍ୟାଂ
ମୃଜିତପଥରୁଜୋ ଯୋ ହରୀନ୍ଦ୍ରାନୁଜାଭ୍ୟାମ୍ ।
ବୈରୂପ୍ୟାଚ୍ଛୂର୍ପଣଖ୍ୟାଃ
ପ୍ରିୟବିରହରୁଷାଽଽରୋପିତଭ୍ରୂବିଜୃମ୍ଭ-
ତ୍ରସ୍ତାବ୍ଧିର୍ବଦ୍ଧସେତୁଃ
ଖଲଦବଦହନଃ କୋସଲେନ୍ଦ୍ରୋଽବତାନ୍ନଃ ॥ ୪॥
ନିଜ ପିତା ରାଜା
ଦଶରଥଙ୍କର ସତ୍ୟରକ୍ଷା କରିବା ପାଇଁ ଭଗବାନ ଶ୍ରୀରାମ ରାଜପାଟ ତ୍ୟାଗ କରି ବଣରେ-ବଣରେ ଘୂରି
ବୁଲିଲେ | ତାଙ୍କର ଚରଣକମଳ ଏତେ ସୁକୁମାର ଥିଲା ଯେ ପରମ ସୁକୁମାରୀ ଜନକନନ୍ଦିନୀ ଜାନକୀଙ୍କ
କରକମଳର ସ୍ପର୍ଶକୁ ମଧ୍ୟ ସେ ସହ୍ୟ କରି ପାରୁ ନ ଥିଲେ | ସେହି ଚରଣରେ ବଣରେ ଚାଲି ଚାଲି ସେ
ଯେତେବେଳେ ଥକି ଯାଉଥିଲେ, ସେତେବେଳେ ହନୁମାନ
ଏବଂ ଲକ୍ଷ୍ମଣ ତାଙ୍କର ଚରଣ ମଞ୍ଚାଳନ କରି ତାଙ୍କ କ୍ଲାନ୍ତି ଦୂର କରୁଥିଲେ | ଶୂର୍ପଣଖାର
ନାକ-କାନ କାଟି ତାକୁ ବିରୂପ କରି ଦେଇଥିବା କାରଣରୁ ତାଙ୍କୁ ନିଜ ପ୍ରିୟତମା ଜାନକୀଙ୍କର ବିୟୋଗ
ସହ୍ୟ କରିବାକୁ ପଡିଲା | ସେହି ବିୟୋଗଜନିତ କ୍ରୋଧବଶ ତାଙ୍କର ଶାଣିତ ଭ୍ରୂକୁଟିକୁ ଦେଖି ସ୍ବୟଂ ସମୁଦ୍ର
ମଧ୍ୟ ଭୟଭୀତ ହୋଇଗଲା | ଏହାପରେ ସେ ସମୁଦ୍ର ଉପରେ ସେତୁ ବାନ୍ଧି ଲଙ୍କାରେ ପ୍ରବେଶ କଲେ ଏବଂ
ସେଠାରେ ଦୁଷ୍ଟ ରାକ୍ଷସମାନଙ୍କୁ ଜଙ୍ଗଲର ଦାବାଗ୍ନି ସଦୃଶ ଦଗ୍ଧ କରିଦେଲେ | ସେହି କୋସଳନରେଶ
ଆମ୍ଭମାନଙ୍କର ରକ୍ଷା କରନ୍ତୁ |
ବିଶ୍ୱାମିତ୍ରାଧ୍ୱରେ
ଯେନ ମାରୀଚାଦ୍ୟା ନିଶାଚରାଃ ।
ପଶ୍ୟତୋ
ଲକ୍ଷ୍ମଣସ୍ୟୈବ ହତା ନୈରୃତପୁଙ୍ଗବାଃ ॥ ୫॥
ବିଶ୍ବାମିତ୍ରଙ୍କ
ଯଜ୍ଞରେ ଲକ୍ଷ୍ମଣଙ୍କ ସମ୍ମୁଖରେ ହିଁ ଭଗବାନ ଶ୍ରୀରାମ ମାରୀଚ ଆଦି ରାକ୍ଷସମାନଙ୍କୁ ମାରି
ଦେଇଥିଲେ | ସେମାନେ ସମସ୍ତେ ବଡ-ବଡ ରାକ୍ଷସ ଭାବରେ ପରିଗଣିତ ହେଉଥିଲେ |
ଯୋ ଲୋକବୀରସମିତୌ
ଧନୁରୈଶମୁଗ୍ରଂ
ସୀତାସ୍ୱୟଂବରଗୃହେ
ତ୍ରିଶତୋପନୀତମ୍ ।
ଆଦାୟ ବାଲଗଜଲୀଲ
ଇବେକ୍ଷୁୟଷ୍ଟିଂ
ସଜ୍ଜୀକୃତଂ ନୃପ
ବିକୃଷ୍ୟ ବଭଞ୍ଜ ମଧ୍ୟେ ॥ ୬॥
ପରୀକ୍ଷିତ !
ଜନକପୁରୀରେ ସୀତାଙ୍କର ସ୍ବୟମ୍ବର ଅନୁଷ୍ଠିତ ହେଉଥିଲା | ସଂସାରର ବଛା-ବଛା ବୀରମାନଙ୍କର ସଭାରେ ଭଗବାନ
ଶଂକରଙ୍କର ସେହି ଭୟଙ୍କର ଧନୁଷ ରଖା ଯାଇଥିଲା | ତାହା ଏତେ ଭାରି ଥିଲା ଯେ ତିନି ଶହ ବୀର ମିଶି
ବହୁ କଷ୍ଟରେ ତାହାକୁ ସ୍ବୟମ୍ବର ସଭାକୁ ଆଣି ପାରିଥିଲେ | ଭଗବାନ ଶ୍ରୀରାମ କଥାରେ-କଥାରେ ହିଁ
ସେହି ଧନୁକୁ ଉଠାଇ ସେଥିରେ ଡୋରି ବାନ୍ଧିଲେ ଏବଂ ସେହି ଡୋରିକୁ ଟାଣି, ହାତୀଛୁଆ ଖେଳରେ-ଖେଳରେ ଆଖୁ ଭାଙ୍ଗିବା ପରି, ସେହି ଧନୁକୁ ମଝିରୁ ଭାଙ୍ଗି ଦୁଇ ଗଡ କରିଦେଲେ |
ଜିତ୍ୱାନୁରୂପଗୁଣଶୀଲବୟୋଽଙ୍ଗରୂପାଂ
ସୀତାଭିଧାଂ
ଶ୍ରିୟମୁରସ୍ୟଭିଲବ୍ଧମାନାମ୍ ।
ମାର୍ଗେ ବ୍ରଜନ୍
ଭୃଗୁପତେର୍ୱ୍ୟନୟତ୍ପ୍ରରୂଢଂ
ଦର୍ପଂ ମହୀମକୃତ
ଯସ୍ତ୍ରିରରାଜବୀଜାମ୍ ॥ ୭॥
ଭଗବାନ ଯାହାକୁ ନିଜ
ବକ୍ଷସ୍ଥଳରେ ସ୍ଥାନ ଡେଇ ସମ୍ମାନିତ କରିଥାଆନ୍ତି, ସେହି
ଲକ୍ଷ୍ମୀଦେବୀ ହିଁ ସୀତା ନାମରେ ଜନକପୁରରେ ଅବତୀର୍ଣ୍ଣ ହୋଇଥିଲେ | ଗୁଣ, ଶୀଳ, ଅବସ୍ଥା, ଶାରୀରିକ ଗଠନ ଏବଂ ସୌନ୍ଦର୍ଯ୍ୟରେ ସେ ସର୍ବତୋ ଭାବରେ
ଭଗବାନ ଶ୍ରୀରାମଙ୍କର ଅନୁରୂପ ଥିଲେ | ଭଗବାନ ଧନୁ ଭାଙ୍ଗି ତାଙ୍କୁ ପ୍ରାପ୍ତ କଲେ | ଅଯୋଧ୍ୟା
ପ୍ରତ୍ୟାବର୍ତ୍ତନ ମାର୍ଗରେ ତାଙ୍କର ପରଶୁରାମଙ୍କ ସହିତ ସାକ୍ଷାତକାର ହୋଇଥିଲା, ଯିଏ ବୀଜ ସହିତ ଏକୋଇଶ ଥର ପୃଥିବୀକୁ ରାଜବଂଶ ରହିତ
କରି ଦେଇଥିଲେ | ଭଗବାନ ତାଙ୍କର ଗର୍ବ ନଷ୍ଟ କଲେ |
ଯଃ
ସତ୍ୟପାଶପରିବୀତପିତୁର୍ନିଦେଶଂ
ସ୍ତ୍ରୈଣସ୍ୟ ଚାପି
ଶିରସା ଜଗୃହେ ସଭାର୍ୟଃ ।
ରାଜ୍ୟଂ ଶ୍ରିୟଂ
ପ୍ରଣୟିନଃ ସୁହୃଦୋ ନିବାସଂ
ତ୍ୟକ୍ତ୍ୱା ଯୟୌ
ବନମସୂନିବ ମୁକ୍ତସଙ୍ଗଃ ॥ ୮॥
ଏହାପରେ ପିତାଙ୍କ
ବଚନ ସତ୍ୟ କରିବା ଅଭିପ୍ରାୟରେ ସେ ବନବାସ ସ୍ବୀକାର କରିନେଲେ | ଯଦିଓ ମହାରାଜ ଦଶରଥ ନିଜ
ପତ୍ନୀଙ୍କର ଅଧୀନସ୍ତ ହୋଇ ତାଙ୍କୁ ସେପରି ବଚନ ଦେଇଥିଲେ, ତଥାପି ସେ ସତ୍ୟର
ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ | ଭଗବାନ ନିଜ ପିତାଙ୍କର ଆଜ୍ଞାକୁ ଶିରୋଧାର୍ଯ୍ୟ କରି, ମୁକ୍ତସଙ୍ଗ ଯୋଗୀ ନିଜ ପ୍ରାଣକୁ ତ୍ୟାଗ କରିବା ପରି, ନିଜ ପ୍ରାଣ ପରି ପ୍ରିୟ ରାଜ୍ୟ, ଲକ୍ଷ୍ମୀ, ପ୍ରେମୀ, ହିତୈଷୀ, ମିତ୍ର ଏବଂ ମହଲକୁ
ତ୍ୟାଗ କରି ନିଜ ପତ୍ନୀଙ୍କ ସହିତ ବନକୁ ଯାତ୍ରା କଲେ |
ରକ୍ଷଃସ୍ୱସୁର୍ୱ୍ୟକୃତ
ରୂପମଶୁଦ୍ଧବୁଦ୍ଧେ-
ସ୍ତସ୍ୟାଃ
ଖରତ୍ରିଶିରଦୂଷଣମୁଖ୍ୟବନ୍ଧୂନ୍ ।
ଜଘ୍ନେ
ଚତୁର୍ଦଶସହସ୍ରମପାରଣୀୟ-
କୋଦଣ୍ଡପାଣିରଟମାନ
ଉବାସ କୃଚ୍ଛ୍ରମ୍ ॥ ୯॥
ବଣରେ ପହଞ୍ଚି
ଭଗବାନ ରାକ୍ଷସରାଜ ରାବଣର ଭଗିନୀ ଶୂର୍ପଣଖାକୁ ବିରୂପ କରିଦେଲେ, କାରଣ କାମବାସନା ଯୋଗୁଁ ତାହାର ବୁଦ୍ଧି ଅତ୍ୟନ୍ତ କଳୁଷିତ ଏବଂ ଅଶୁଦ୍ଧ
ଥିଲା | ତା’ର ପକ୍ଷପାତୀ ଖର, ଦୂଷଣ, ତ୍ରିଶିରା ଆଦି
ପ୍ରଧାନ-ପ୍ରଧାନ ଭାଈମାନଙ୍କୁ – ଯେଉଁମାନେ ସଂଖ୍ୟାରେ ଚଉଦ ହଜାର ଥିଲେ – ଭଗବାନ ଶ୍ରୀରାମ
ହାତରେ ଧନୁଷ ଧାରଣ କରି ନଷ୍ଟ କରିଦେଲେ | ଏହିପରି ଭାବରେ ଅନେକ ପ୍ରକାରର କଠିନତା ପୂର୍ଣ୍ଣ
ସେହି ବଣରେ ଏଣେତେଣେ ବିଚରଣ କରି ଭଗବାନ ଶ୍ରୀରାମ ନିବାସ କରିବାରେ ଲାଗିଲେ |
ସୀତାକଥାଶ୍ରବଣଦୀପିତହୃଚ୍ଛୟେନ
ସୃଷ୍ଟଂ ବିଲୋକ୍ୟ
ନୃପତେ ଦଶକନ୍ଧରେଣ ।
ଜଘ୍ନେଽଦ୍ଭୁତୈଣବପୁଷାଽଽଶ୍ରମତୋଽପକୃଷ୍ଟୋ
ମାରୀଚମାଶୁ
ବିଶିଖେନ ଯଥା କମୁଗ୍ରଃ ॥ ୧୦॥
ପରୀକ୍ଷିତ ! ରାବଣ
ଯେତେବେଳେ ଜଗତଜନନୀ ସୀତାଙ୍କର ରୂପ, ଗୁଣ, ସୌନ୍ଦର୍ଯ୍ୟ ଆଦି ବିଷୟରେ ଶୁଣିବାକୁ ପାଇଲା, ସେତେବେଳେ କାମବାସନାରେ ତା’ର ହୃଦୟ ଆତୁର ହୋଇ ଉଠିଲା | ସେ ମାରୀଚକୁ ଏକ ଅଦ୍ଭୁତ
ହରିଣ ରୂପରେ ତାଙ୍କର ପର୍ଣ୍ଣକୁଟୀ ନିକଟକୁ ପ୍ରେରଣ କଲା | ସେ ଧୀରେ ଧୀରେ ଭଗବାନଙ୍କୁ
କୁଟୀରଠାରୁ ଦୂରକୁ ନେଇଗଲା | ଦକ୍ଷପ୍ରଜାପତିଙ୍କୁ ବୀରଭଦ୍ର ନଷ୍ଟ କରିବା ପରି ଭଗବାନ ତାକୁ
ବିନା ପ୍ରୟାସରେ ମାରିଦେଲେ |
ରକ୍ଷୋଽଧମେନ
ବୃକବଦ୍ୱିପିନେଽସମକ୍ଷଂ
ବୈଦେହରାଜଦୁହିତର୍ୟପୟାପିତାୟାମ୍
।
ଭ୍ରାତ୍ରା ବନେ
କୃପଣବତ୍ପ୍ରିୟଯା ବିୟୁକ୍ତଃ
ସ୍ତ୍ରୀସଙ୍ଗିନାଂ
ଗତିମିତି ପ୍ରଥୟଂଶ୍ଚଚାର ॥ ୧୧॥
ଭଗବାନ ଶ୍ରୀରାମ
ଯେତେବେଳେ ଜଙ୍ଗଲରେ ଦୂରକୁ ଚାଲି ଯାଇଥିଲେ, ସେତେବେଳେ
(ଲକ୍ଷ୍ମଣଙ୍କ ଅନୁପସ୍ଥିତିରେ) ନୀଚ ରାକ୍ଷସ ରାବଣ ହେଟାବାଘ ପରି ବିଦେହନନ୍ଦିନୀ ସୁକୁମାରୀ
ସୀତାଙ୍କୁ ହରଣ କରିନେଲା | ତଦନନ୍ତର ଭଗବାନ ନିଜ ପ୍ରାଣପ୍ରିୟା ସୀତାଙ୍କ ବିୟୋଗରେ ଦୀନମାନଙ୍କ
ପରି ନିଜ ଭାଈ ଲକ୍ଷ୍ମଣଙ୍କ ସହିତ ବନ-ବନରେ ଘୂରି ବୁଲିଲେ | ଏହିପରି ଭାବରେ ସେ ଜଗତକୁ ଶିକ୍ଷା
ଦେଇଥିଲେ ଯେ ଯେଉଁମାନେ ସ୍ତ୍ରୀ ପ୍ରତି ଅଧିକ ଆସକ୍ତ, ସେମାନଙ୍କର ଗତି
ଏପରି ହୋଇଥାଏ |
ଦଗ୍ଧ୍ୱାଽଽତ୍ମକୃତ୍ୟହତକୃତ୍ୟମହନ୍
କବନ୍ଧଂ
ସଖ୍ୟଂ ବିଧାୟ
କପିଭିର୍ଦୟିତାଗତିଂ ତୈଃ ।
ବୁଦ୍ଧ୍ୱାଥ ବାଲିନି
ହତେ ପ୍ଲବଗେନ୍ଦ୍ରସୈନ୍ୟୈ-
ର୍ୱେଲାମଗାତ୍ସ
ମନୁଜୋଽଜଭବାର୍ଚିତାଙ୍ଘ୍ରିଃ ॥ ୧୨॥
ଏହାପରେ ଭଗବାନ
ଜଟାୟୁର ଦାହ-ସଂସ୍କାର କଲେ, ଯାହାର ସମସ୍ତ
କର୍ମବନ୍ଧନ ଭଗବତ୍-ସେବାରୂପ କର୍ମ ବଳରେ ବହୁ ପୂର୍ବରୁ ଭସ୍ମ ହୋଇ ଯାଇଥିଲା | ତାପରେ ଭଗବାନ
କବନ୍ଧର ସଂହାର କଲେ ଏବଂ ସୁଗ୍ରୀବ ଆଦି ବାନରଙ୍କ ସହିତ ମିତ୍ରତା କରି ବାଳିକୁ ବଧ କଲେ |
ବାନରମାନଙ୍କ ସହାୟତାରେ ସେ ନିଜ ପ୍ରାଣପ୍ରିୟା ସୀତାଙ୍କୁ ଠାବ କଲେ | ବ୍ରହ୍ମା-ଶଂକର ଯାହାର
ଚରଣବନ୍ଦନା କରନ୍ତି, ସେହି ଭଗବାନ ଶ୍ରୀରାମ
ମନୁଷ୍ୟବତ୍ ଲୀଳା କରିବାକୁ ଯାଇ ବାନରସେନାଙ୍କ ସହିତ ସମୁଦ୍ରତଟରେ ପହଞ୍ଚିଲେ |
ଯଦ୍ରୋଷବିଭ୍ରମବିବୃତ୍ତକଟାକ୍ଷପାତ-
ସମ୍ଭ୍ରାନ୍ତନକ୍ରମକରୋ
ଭୟଗୀର୍ଣଘୋଷଃ ।
ସିନ୍ଧୁଃ
ଶିରସ୍ୟର୍ହଣଂ ପରିଗୃହ୍ୟ ରୂପୀ
ପାଦାରବିନ୍ଦମୁପଗମ୍ୟ
ବଭାଷ ଏତତ୍ ॥ ୧୩॥
(ସେଠାରେ ଉପବାସ
ଏବଂ ପ୍ରାର୍ଥନା ଦ୍ବାରା ଯେତେବେଳେ ସମୁଦ୍ର ଉପରେ କୌଣସି ପ୍ରଭାବ ନ ପଡିଲା, ସେତେବେଳେ) ଭଗବାନ କ୍ରୋଧର ଲୀଳା କରି ସମୁଦ୍ର ପ୍ରତି
ଉଗ୍ର ଏବଂ ତୀକ୍ଷ୍ଣ ଦୃଷ୍ଟିପାତ କଲେ | ତାହାର ପ୍ରଭାବରେ ସମୁଦ୍ର ଭିତରେ ଥିବା ବଡ-ବଡ ମଗର ଏବଂ
ମତ୍ସ୍ୟ ଛଟପଟ ହେବାରେ ଲାଗିଲେ | ଭୟରେ ସମୁଦ୍ରର ଗର୍ଜନ ଶାନ୍ତ ପଡିଗଲା | ତାପରେ ସମୁଦ୍ର
ମୂର୍ତ୍ତିମାନ ହୋଇ ନିଜ ମସ୍ତକରେ ଅନେକ ପ୍ରକାରର ଉପହାର ନେଇ ଭଗବାନଙ୍କ ଚରଣକମଳର ଶରଣକୁ ଆସିଲା
ଏବଂ କହିଲା -
ନ ତ୍ୱାଂ ବୟଂ
ଜଡଧିୟୋ ନୁ ବିଦାମ ଭୂମନ୍
କୂଟସ୍ଥମାଦିପୁରୁଷଂ
ଜଗତାମଧୀଶମ୍ ।
ଯତ୍ସତ୍ତ୍ୱତଃ
ସୁରଗଣା ରଜସଃ ପ୍ରଜେଶା
ମନ୍ୟୋଶ୍ଚ ଭୂତପତୟଃ
ସ ଭବାନ୍ ଗୁଣେଶଃ ॥ ୧୪॥
ହେ ଅନନ୍ତ ! ମୁଁ
ମୂର୍ଖ ଅଟେ; ସେଥିପାଇଁ ଆପଣଙ୍କର
ବାସ୍ତବିକ ସ୍ବରୂପକୁ ଜାଣି ପାରିଲି ନାହିଁ | ଜାଣନ୍ତି ଅବା କିପରି ? ଆପଣ ସମସ୍ତ ଜଗତର
ଏକମାତ୍ର ସ୍ବାମୀ, ଆଦିକାରଣ ଏବଂ ଜଗତର ସମସ୍ତ
ପରିବର୍ତ୍ତନରେ ଆପଣ ଏକରସ ସ୍ଥିତ ଅଟନ୍ତି | ଆପଣ ସମସ୍ତ ଗୁଣର ସ୍ବାମୀ ଅଟନ୍ତି | ସେଥିପାଇଁ
ଆପଣ ଯେତେବେଳେ ସତ୍ତ୍ବଗୁଣକୁ ସ୍ବୀକାର କରନ୍ତି, ସେଥିରୁ
ଦେବତାମାନଙ୍କର ଉତ୍ପତ୍ତି ହୋଇଥାଏ | ରଜୋଗୁଣ ସ୍ବୀକାର କଲେ ପ୍ରଜାପତିମାନଙ୍କର ଏବଂ ତମୋଗୁଣ ସ୍ବୀକାର କଲେ ଆପଣଙ୍କ
କ୍ରୋଧରୁ ରୁଦ୍ରଗଣଙ୍କର ଉତ୍ପତ୍ତି ହୋଇଥାଏ |
କାମଂ ପ୍ରୟାହି ଜହି
ବିଶ୍ରବସୋଽବମେହଂ
ତ୍ରୈଲୋକ୍ୟରାବଣମବାପ୍ନୁହି
ବୀର ପତ୍ନୀମ୍ ।
ବଧ୍ନୀହି ସେତୁମିହ
ତେ ଯଶସୋ ବିତତ୍ୟୈ
ଗାୟନ୍ତି
ଦିଗ୍ୱିଜୟିନୋ ଯମୁପେତ୍ୟ ଭୂପାଃ ॥ ୧୫॥
ବୀରଶିରୋମଣି ! ଆପଣ
ନିଜ ଇଚ୍ଛା ଅନୁସାରେ ମୋତେ ପାର କରିଯାଆନ୍ତୁ ଏବଂ ତ୍ରିଲୋକୀକୁ ଯାତନାକ୍ତ କରି ରଖିଥିବା
ବିଶ୍ରବାଙ୍କର କୁପୂତ ରାବଣକୁ ମାରି ନିଜ ପତ୍ନୀଙ୍କୁ ପୁନଃ ପ୍ରାପ୍ତ କରନ୍ତୁ | କିନ୍ତୁ ମୋର
ଆପଣଙ୍କ ନିକଟରେ ଏକ ପ୍ରାର୍ଥନା ଯେ ଆପଣ ମୋ ଉପରେ ଏକ ସେତୁର ନିର୍ମାଣ କରନ୍ତୁ | ତଦ୍ବାରା
ଆପଣଙ୍କ ଯଶର ବିସ୍ତାର ହେବ ଏବଂ ଆଗକୁ ନରପତିମାନେ ଯେତେବେଳେ ଦିଗବିଜୟ ଆଶାରେ ଏଠାରେ ଆସି
ପହଞ୍ଚିବେ, ସେତେବେଳେ ସେମାନେ ଆପଣଙ୍କର
ଯଶଗାନ କରିବେ |
ବଦ୍ଧ୍ୱୋଦଧୌ
ରଘୁପତିର୍ୱିବିଧାଦ୍ରିକୂଟୈଃ
ସେତୁଂ
କପୀନ୍ଦ୍ରକରକମ୍ପିତଭୂରୁହାଙ୍ଗୈଃ ।
ସୁଗ୍ରୀବନୀଲହନୁମତ୍ପ୍ରମୁଖୈରନୀକୈ-
ର୍ଲଙ୍କାଂବିଭୀଷଣଦୃଶାଽଽବିଶଦଗ୍ରଦଗ୍ଧାମ୍
॥ ୧୬॥
ଭଗବାନ ଶ୍ରୀରାମ
ଅନେକାନେକ ପର୍ବତ ଶିଖର ଦ୍ବାରା ସମୁଦ୍ର ଉପରେ ସେତୁ ନିର୍ମାଣ କଲେ | ଅତ୍ୟନ୍ତ ବଳଶାଳୀ
ବାନରମାନେ ଯେତେବେଳେ ସେହିସବୁ ପର୍ବତକୁ ହାତରେ ଉଠାଇ ବୋହି ଆଣୁଥିଲେ, ସେଥିରେ ଥିବା ବୃକ୍ଷ ଏବଂ ପ୍ରସ୍ତର ଚଟାଣ ଥରଥର ହୋଇ
ଦୋହଲି ଉଠୁଥିଲେ | ଏହାପରେ ବିଭୀଷଣଙ୍କର ପରାମର୍ଶ କ୍ରମେ ସୁଗ୍ରୀବ, ନୀଳ, ହନୁମାନ ପ୍ରମୁଖ
ବୀର ଏବଂ ବାନରସେନାଙ୍କ ସହିତ ଭଗବାନ ଲଙ୍କାରେ ପ୍ରବେଶ କଲେ | ଲଙ୍କା ତ ହନୁମାନଙ୍କ ଦ୍ବାରା
ପୂର୍ବରୁ ହିଁ ଜଳି ଛାରଖାର ହୋଇ ଯାଇଥିଲା |
ସା
ବାନରେନ୍ଦ୍ରବଲରୁଦ୍ଧବିହାରକୋଷ୍ଠ-
ଶ୍ରୀଦ୍ୱାରଗୋପୁରସଦୋବଲଭୀବିଟଙ୍କା
।
ନିର୍ଭଜ୍ୟମାନଧିଷଣଧ୍ୱଜହେମକୁମ୍ଭ-
ଶୃଙ୍ଗାଟକା
ଗଜକୁଲୈର୍ହ୍ରଦିନୀବ ଘୂର୍ଣା ॥ ୧୭॥
ବାନରସେନା ଲଙ୍କାର
ମନୋରଞ୍ଜନ କ୍ଷେତ୍ର, ଖେଳପଡିଆ, ଶସ୍ୟ ଗୋଦାମ, ଭଣ୍ଡାର ଘର, ସଭାଭବନ, ଫାଟକ, ଦୋ-ତାଲା ଘର, ପକ୍ଷୀ ରହିବା ଘର
ଆଦି ସବୁକିଛି ଘେରି ଗଲେ | ସେଠାରେ ଥିବା ବେଦି, ଚଉତରା, ଧ୍ବଜାର
ସ୍ବର୍ଣ୍ଣକଳସ ଭାଙ୍ଗି ଚୁରମାର୍ କରିଦେଲେ | ସେହି ସମୟରେ ଲଙ୍କାକୁ ଦେଖିଲେ ମନେ ହେଉଥିଲା ସତେ
ଯେପରି ଦଳ-ଦଳ ହୋଇ ହାତୀମାନେ ନଦୀଜଳକୁ ମନ୍ଥନ କରିବାରେ ଲାଗିଛନ୍ତି |
ରକ୍ଷଃପତିସ୍ତଦବଲୋକ୍ୟ
ନିକୁମ୍ଭକୁମ୍ଭ-
ଧୂମ୍ରାକ୍ଷଦୁର୍ମୁଖସୁରାନ୍ତକନରାନ୍ତକାଦୀନ୍
।
ପୁତ୍ରଂ
ପ୍ରହସ୍ତମତିକାୟବିକମ୍ପନାଦୀନ୍
ସର୍ୱାନୁଗାନ୍ ସମହିନୋଦଥ କୁମ୍ଭକର୍ଣମ୍ ॥ ୧୮॥
ଏହା ଦେଖି
ରାକ୍ଷସରାଜ ରାବଣ ତା’ର ନିକୁମ୍ଭ, କୁମ୍ଭ, ଧୂମ୍ରାକ୍ଷ, ଦୁର୍ମୁଖ, ସୁରାନ୍ତକ, ନରାନ୍ତକ, ପ୍ରହସ୍ତ, ଅତିକାୟ, ବିକମ୍ପନ ଆଦି ସବୁ
ଅନୁଚରଙ୍କୁ, ପୁତ୍ର ମେଘନାଦକୁ ଏବଂ ଶେଷରେ ଭାଈ କୁମ୍ଭକର୍ଣ୍ଣକୁ ଯୁଦ୍ଧ କରିବାକୁ ପଠାଇଲା |
ତାଂ
ଯାତୁଧାନପୃତନାମସିଶୂଲଚାପ-
ପ୍ରାସର୍ଷ୍ଟିଶକ୍ତିଶରତୋମରଖଡ୍ଗଦୁର୍ଗାମ୍
।
ସୁଗ୍ରୀବଲକ୍ଷ୍ମଣମରୁତ୍ସୁତଗନ୍ଧମାଦ-
ନୀଲାଙ୍ଗଦର୍କ୍ଷପନସାଦିଭିରନ୍ୱିତୋଽଗାତ୍
॥ ୧୯॥
ରାକ୍ଷସମାନଙ୍କର
ସେହି ବିଶାଳ ସେନା ତରବାରୀ, ତ୍ରିଶୂଳ, ଧନୁ, ପ୍ରାସ, ଋଷ୍ଟି, ଶକ୍ତି, ଭାଲ, ବାଣ, ଖଡ୍ଗ ଆଦି
ଅସ୍ତ୍ରଶସ୍ତ୍ରରେ ସୁରକ୍ଷିତ ଏବଂ ଅତ୍ୟନ୍ତ ଦୁର୍ଗମ ଥିଲେ | ଭଗବାନ ଶ୍ରୀରାମ ନିଜ ସହିତ
ସୁଗ୍ରୀବ, ଲକ୍ଷ୍ମଣ, ହନୁମାନ, ଗନ୍ଧ-ମାଦନ, ନୀଳ, ଅଙ୍ଗଦ, ଜାମ୍ବବାନ ଏବଂ ପନସ ଆଦି ବୀରଙ୍କୁ ନେଇ
ରାକ୍ଷସସେନାର ସମ୍ମୁଖୀନ ହେଲେ |
ତେଽନୀକପା
ରଘୁପତେରଭିପତ୍ୟ ସର୍ୱେ
ଦ୍ୱନ୍ଦ୍ୱଂ
ବରୂଥମିଭପତ୍ତିରଥାଶ୍ୱୟୋଧୈଃ ।
ଜଘ୍ନୁର୍ଦ୍ରୁମୈର୍ଗିରିଗଦେଷୁଭିରଙ୍ଗଦାଦ୍ୟାଃ
ସୀତାଭିମର୍ଶହତମଙ୍ଗଲରାବଣେଶାନ୍
॥ ୨୦॥
ରଘୁବଂଶଶିରୋମଣି
ଭଗବାନ ଶ୍ରୀରାମଙ୍କର ଅଙ୍ଗଦ ଆଦି ସବୁ ସେନାପତି ରାକ୍ଷସମାନଙ୍କର ଚତୁରଙ୍ଗିଣୀ ସେନା – ଗଜାରୋହୀ, ରଥାରୋହୀ, ଅଶ୍ବାରୋହୀ ଏବଂ
ପଦାତିକ – ସେନାଙ୍କ ସହିତ ଦ୍ବନ୍ଦ୍ବଯୁଦ୍ଧ ରୀତିରେ ଲଢାଇ କଲେ ଏବଂ ରାକ୍ଷସମାନଙ୍କୁ ବୃକ୍ଷ, ପର୍ବତଶିଖର, ଗଦା ଏବଂ ବାଣ
ଦ୍ବାରା ମାରିବାରେ ଲାଗିଲେ | ସେମାନଙ୍କର ମରଣ ତ ସ୍ବାଭାବିକ ଥିଲା, କାରଣ ସେମାନେ ସେହି ରାବଣର ଅନୁଚର ଥିଲେ, ଯାହାର ସବୁ ମଙ୍ଗଳ ଜଗତ୍ଜନନୀ ସୀତାଙ୍କୁ ସ୍ପର୍ଶ
କରିଥିବା କାରଣରୁ ପୂର୍ବରୁ ହିଁ ନଷ୍ଟ ହୋଇ ଯାଇଥିଲା |
ରକ୍ଷଃପତିଃ
ସ୍ୱବଲନଷ୍ଟିମବେକ୍ଷ୍ୟ ରୁଷ୍ଟ
ଆରୁହ୍ୟ
ଯାନକମଥାଭିସସାର ରାମମ୍ ।
ସ୍ୱଃସ୍ୟନ୍ଦନେ
ଦ୍ୟୁମତି ମାତଲିନୋପନୀତେ
ବିଭ୍ରାଜମାନମହନନ୍ନିଶିତୈଃ
କ୍ଷୁରପ୍ରୈଃ ॥ ୨୧॥
ରାକ୍ଷସରାଜ ରାବଣ
ଯେତେବେଳେ ଦେଖିଲା ତା’ର ସୈନ୍ୟମାନଙ୍କର ବିନାଶ
ହେବାରେ ଲାଗିଛି, ସେତେବେଳେ ସେ କ୍ରୋଧାବେଶରେ
ନିଜ ପୁଷ୍ପକ ବିମାନ ଚଢି ଭଗବାନ ଶ୍ରୀରାମଙ୍କ ସମ୍ମୁଖକୁ ଆସିଲା | ସେହି ସମୟରେ ଇନ୍ଦ୍ରଙ୍କର
ସାରଥି ମାତଳି ରଥ ନେଇ ଯୁଦ୍ଧକ୍ଷେତ୍ରରେ ଉପସ୍ଥିତ ହେଲେ ଏବଂ ଭଗବାନ ଶ୍ରୀରାମ ତା’ ଉପରେ ବିରାଜମାନ କଲେ | ରାବଣ ନିଜର ତୀକ୍ଷ୍ଣ ବାଣ ଦ୍ବାରା
ତାଙ୍କ ଉପରେ ପ୍ରହାର କରିବାରେ ଲାଗିଥାଏ |
ରାମସ୍ତମାହ
ପୁରୁଷାଦପୁରୀଷ ଯନ୍ନଃ
କାନ୍ତାସମକ୍ଷମସତାପହୃତା
ଶ୍ୱବତ୍ତେ ।
ତ୍ୟକ୍ତତ୍ରପସ୍ୟ
ଫଲମଦ୍ୟ ଜୁଗୁପ୍ସିତସ୍ୟ
ଯଚ୍ଛାମି କାଲ ଇବ
କର୍ତୁରଲଙ୍ଘ୍ୟବୀର୍ୟଃ ॥ ୨୨॥
ରାବଣକୁ ଲକ୍ଷ୍ୟ
କରି ଭଗବାନ କହିଲେ – ନୀଚ ରାକ୍ଷସ ! ମୋର ଅନୁପସ୍ଥିତିରେ ତୁ କୁକୁର ପରି ମୋର ପ୍ରାଣପ୍ରିୟା
ପତ୍ନୀଙ୍କୁ ହରଣ କଲୁ | ତଦ୍ବାରା ତୁ ଦୁଷ୍ଟତାର ପରାକାଷ୍ଠା ପ୍ରଦର୍ଶନ କରିଛୁ | ତୋ ପରି
ନିର୍ଲଜ୍ଜ ତଥା ନିନ୍ଦନୀୟ ଆଉ କିଏ ହେବ | କାଳକୁ ଯେପରି କେହି ଟାଳି ପାରନ୍ତି ନାହିଁ –
କର୍ତ୍ତାପଣର ଅଭିମାନୀକୁ ସେ ଫଳ ନ ଦେଇ ରହିପାରେ ନାହିଁ, ସେହିପରି ଆଜି ମୁଁ
ତୋତେ ତୋ ଦୁଷ୍କର୍ମର ଫଳ ଚଖାଇବି |
ଏବଂ କ୍ଷିପନ୍
ଧନୁଷି ସନ୍ଧିତମୁତ୍ସସର୍ଜ
ବାଣଂ ସ ବଜ୍ରମିବ
ତଦ୍ଧୃଦୟଂ ବିଭେଦ ।
ସୋଽସୃଗ୍ୱମନ୍
ଦଶମୁଖୈର୍ନ୍ୟପତଦ୍ୱିମାନା-
ଦ୍ଧାହେତି ଜଲ୍ପତି
ଜନେ ସୁକୃତୀବ ରିକ୍ତଃ ॥ ୨୩॥
ଏହିପରି ଭାବରେ
ରାବଣର ଭର୍ତ୍ସନା କରି ଭଗବାନ ଶ୍ରୀରାମ ନିଜ ଧନୁରେ ବାଣ ଚଢାଇ ତା’ ଉପରକୁ ପ୍ରୟୋଗ କଲେ | ସେହି ବାଣ ବଜ୍ର ପରି ତା’ର ହୃଦୟକୁ ବିଦୀର୍ଣ୍ଣ କଲା | ସେ ନିଜ ଦଶ ମୁଖରୁ ରକ୍ତ
ଉଦଗାର କରି, ପୁଣ୍ୟାତ୍ମାପୁରୁଷ ଭୋଗ ସମାପ୍ତ ହେବା ପରେ ସ୍ବର୍ଗରୁ ଖସି ପଡିବା ପରି, ନିଜ ବିମାନରୁ ତଳକୁ ଖସି ପଡିଲା | ସେହି ସମୟରେ ତା’ର ପୁରଜନ-ପରିଜନ ‘ହାୟ-ହାୟ’ କହି ଚିତ୍କାର କରିବାରେ ଲାଗିଲେ |
ତତୋ ନିଷ୍କ୍ରମ୍ୟ
ଲଙ୍କାୟା ଯାତୁଧାନ୍ୟଃ ସହସ୍ରଶଃ ।
ମନ୍ଦୋଦର୍ୟା ସମଂ
ତସ୍ମିନ୍ ପ୍ରରୁଦତ୍ୟ ଉପାଦ୍ରବନ୍ ॥ ୨୪॥
ତଦନନ୍ତର
ହଜାର-ହଜାର ରାକ୍ଷସୀ ମନ୍ଦୋଦରୀଙ୍କ ସହିତ ରୋଦନ କରି କରି ଲଙ୍କାପୁରୀରୁ ରଣଭୂମିକୁ ଆସିଲେ |
ସ୍ୱାନ୍ ସ୍ୱାନ୍
ବନ୍ଧୂନ୍ ପରିଷ୍ୱଜ୍ୟ ଲକ୍ଷ୍ମଣେଷୁଭିରର୍ଦିତାନ୍ ।
ରୁରୁଦୁଃ ସୁସ୍ୱରଂ
ଦୀନା ଘ୍ନନ୍ତ୍ୟ ଆତ୍ମାନମାତ୍ମନା ॥ ୨୫॥
ସେଠାରେ ସେମାନେ
ଦେଖିଲେ ଯେ ତାଙ୍କର ସ୍ବଜନ-ସମ୍ବନ୍ଧୀ ଲକ୍ଷ୍ମଣଙ୍କ ବାଣରେ ଛିନ୍ନ-ଭିନ୍ନ ହୋଇ ପଡି ରହିଛନ୍ତି |
ସେମାନେ ନିଜ ହାତରେ ଛାତି ପିଟି ଏବଂ ନିଜ ସ୍ବଜନ-ସମ୍ବନ୍ଧୀଙ୍କୁ ହୃଦୟଲଗ୍ନ କରି ଉଚ୍ଚ ସ୍ବରରେ
ବିଳାପ କରିବାରେ ଲାଗିଲେ |
ହା ହତାଃ ସ୍ମ ବୟଂ
ନାଥ ଲୋକରାବଣ ରାବଣ ।
କଂ ଯାୟାଚ୍ଛରଣଂ
ଲଙ୍କା ତ୍ୱଦ୍ୱିହୀନା ପରାର୍ଦିତା ॥ ୨୬॥
ହାୟ-ହାୟ ! ସ୍ବାମୀ
! ଆଜି ଆମେ ସବୁ ମୃତପ୍ରାୟ ହୋଇଗଲୁ | ଦିନ ଥିଲା, ଯେତେବେଳେ ଆପଣଙ୍କ
ଭୟରେ ସମସ୍ତ ଲୋକରେ ତ୍ରାହି-ତ୍ରାହି ଡାକ ଶୁଣା ଯାଉଥିଲା | ଆଜିର ଦିନରେ ଆପଣଙ୍କର ଅଭାବରେ ଆମର
ଶତ୍ରୁମାନେ ଲଙ୍କାର ଦୁର୍ଦ୍ଦଶା କରୁଛନ୍ତି | ଏବେ ପ୍ରଶ୍ନ ଉଠୁଛି ଲଙ୍କା କାହା ଅଧୀନରେ ରହିବ |
ନୈବଂ ବେଦ ମହାଭାଗ
ଭବାନ୍ କାମବଶଂ ଗତଃ ।
ତେଜୋଽନୁଭାବଂ
ସୀତାୟା ଯେନ ନୀତୋ ଦଶାମିମାମ୍ ॥ ୨୭॥
ଆପଣ ସବୁ ଦୃଷ୍ଟିରୁ
ସମ୍ପନ୍ନ ଥିଲେ; କୌଣସି ପ୍ରକାରେ ଆପଣ ଉଣା ନ
ଥିଲେ | କିନ୍ତୁ କାମବଶ ହୋଇ ଆପଣ ଏହା କଳନା କରିପାରିଲେ ନାହିଁ ଯେ ସୀତା କେତେ ମାତ୍ରାରେ
ତେଜସ୍ବିନୀ ଅଟନ୍ତି ଏବଂ ତାଙ୍କର ପ୍ରଭାବ କେତେ ବେଶୀ | ଆପଣଙ୍କର ଏହି ଗୋଟିଏ ଭୂଲ୍ ଆପଣଙ୍କ
ଦୁର୍ଦ୍ଦଶାର କାରଣ ହେଲା |
କୃତୈଷା ବିଧବା
ଲଙ୍କା ବୟଂ ଚ କୁଲନନ୍ଦନ ।
ଦେହଃ କୃତୋଽନ୍ନଂ
ଗୃଧ୍ରାଣାମାତ୍ମା ନରକହେତବେ ॥ ୨୮॥
କେବେ ଆପଣଙ୍କ
କାମରେ ଆମେ ସବୁ ଏବଂ ସମସ୍ତ ରାକ୍ଷସବଂଶ ଆନନ୍ଦିତ ହେଉଥିଲା | ଆଜି ଆମେ ସମସ୍ତେ ତଥା
ସମ୍ପୂର୍ଣ୍ଣ ଲଙ୍କାନଗରୀ ବିଧବା ହୋଇଗଲା | ଆପଣଙ୍କର ଏହି ଶରୀର, ଯାହା ପାଇଁ ଆପଣ ଏତେ ସବୁ କରିଥିଲେ, ଆଜି ତାହା ଚିଲ-ଶାଗୁଣାଙ୍କର ଆହାର ହୋଇଛି | ତାଛଡା, ନିଜର ଆତ୍ମାକୁ ତ ଆପଣ ନର୍କର ଅଧିକାରୀ କରିଦେଲେ |
ଏସବୁ ଆପଣଙ୍କର ଅଜ୍ଞତା ଏବଂ କାମୁକତାର ଫଳ ଅଟେ |
ଶ୍ରୀଶୁକ ଉବାଚ
ସ୍ୱାନାଂ
ବିଭୀଷଣଶ୍ଚକ୍ରେ କୋସଲେନ୍ଦ୍ରାନୁମୋଦିତଃ ।
ପିତୃମେଧବିଧାନେନ
ଯଦୁକ୍ତଂ ସାମ୍ପରାୟିକମ୍ ॥ ୨୯॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! କୋସଳାଧୀଶ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ଆଜ୍ଞାରେ ବିଭୀଷଣ ନିଜ
ସ୍ବଜନ-ସମ୍ବନ୍ଧୀଙ୍କର ଅନ୍ତ୍ୟେଷ୍ଟି କ୍ରିୟା ଶାସ୍ତ୍ରବିହିତ ପିତୃଯଜ୍ଞ ବିଧିରେ ସମ୍ପନ୍ନ କଲେ
|
ତତୋ ଦଦର୍ଶ
ଭଗବାନଶୋକବନିକାଶ୍ରମେ ।
କ୍ଷାମାଂ
ସ୍ୱବିରହବ୍ୟାଧିଂ ଶିଂଶପାମୂଲମାସ୍ଥିତାମ୍ ॥ ୩୦॥
ଏହାପରେ ଭଗବାନ
ଶ୍ରୀରାମ ଅଶୋକବାଟିକାରେ ଅଶୋକ ବୃକ୍ଷର ନିମ୍ନଦେଶରେ ଉପବେଶନ କରିଥିବା ଦେବୀ ସୀତାଙ୍କୁ ଦେଖିଲେ
| ପ୍ରିୟତମଙ୍କ ବିରହ-ବ୍ୟାଧିରେ ପୀଡିତ ହୋଇ ସେ ଅତ୍ୟନ୍ତ ଦୁର୍ବଳ ହୋଇ ଯାଇଥିଲେ |
ରାମଃ ପ୍ରିୟତମାଂ
ଭାର୍ୟାଂ ଦୀନାଂ ବୀକ୍ଷ୍ୟାନ୍ୱକମ୍ପତ ।
ଆତ୍ମସନ୍ଦର୍ଶନାହ୍ଲାଦବିକସନ୍ମୁଖପଙ୍କଜାମ୍
॥ ୩୧॥
ନିଜ ପ୍ରାଣପ୍ରିୟା
ଅର୍ଦ୍ଧାଙ୍ଗିନୀ ସୀତାଙ୍କୁ ଏପରି ଦୀନ ଅବସ୍ଥାରେ ଦେଖି ଶ୍ରୀରାମଙ୍କର ହୃଦୟ ପ୍ରେମ ଓ କରୁଣାରେ
ଭରିଗଲା | ଏଣେ ଭଗବାନଙ୍କର ଦର୍ଶନ ଲାଭ କରି ସୀତାଙ୍କର ହୃଦୟ ପ୍ରେମ ଓ ଆନନ୍ଦରେ ପରିପୂର୍ଣ୍ଣ
ହୋଇଗଲା; ତାଙ୍କର ମୁଖମଣ୍ଡଳ ପ୍ରଫୁଲ୍ଲିତ ଦେଖାଗଲା |
ଆରୋପ୍ୟାରୁରୁହେ
ଯାନଂ ଭ୍ରାତୃଭ୍ୟାଂ ହନୁମଦ୍ୟୁତଃ ।
ବିଭୀଷଣାୟ ଭଗବାନ୍
ଦତ୍ତ୍ୱା ରକ୍ଷୋଗଣେଶତାମ୍ ॥ ୩୨॥
ଲଙ୍କାମାୟୁଶ୍ଚ
କଲ୍ପାନ୍ତଂ ଯୟୌ ଚୀର୍ଣବ୍ରତଃ ପୁରୀମ୍ ।
ଅବକୀର୍ୟମାଣଃ
ସୁକୁସୁମୈର୍ଲୋକପାଲାର୍ପିତୈଃ ପଥି ॥ ୩୩॥
ବିଭୀଷଣଙ୍କୁ ଭଗବାନ
ରାକ୍ଷସମାନଙ୍କର ସ୍ବାମିତ୍ବ, ଲଙ୍କାପୁରୀର
ରାଜପଦ ଏବଂ ଏକ କଳ୍ପ ଆୟୁ ପ୍ରଦାନ କଲେ | ତାପରେ ସେ ସର୍ବପ୍ରଥମେ ସୀତାଙ୍କୁ ବିମାନରେ ବସାଇଲେ
ଏବଂ ପରେ ଲକ୍ଷଣ ଓ ସୁଗ୍ରୀବ ଦୁଇ ଭାଈ ଏବଂ ସେବକ ହନୁମାନଙ୍କ ସହିତ ସ୍ବୟଂ ବିମାନ ଆରୋହଣ କଲେ |
ଏହିରୂପେ ଚଉଦ ବର୍ଷର ବନବାସ ବ୍ରତ ପୂର୍ଣ୍ଣ କରି ଭଗବାନ ନିଜ ନଗରୀ ଅଯୋଧ୍ୟାପୁରୀକୁ ଯାତ୍ରା
କଲେ | ମାର୍ଗରେ ବ୍ରହ୍ମା ଆଦି ଲୋକପାଳଗଣ ଅତି ପ୍ରେମରେ ତାଙ୍କ ଉପରେ ପୁଷ୍ପବୃଷ୍ଟି କରିବାରେ
ଲାଗିଥିଲେ
ଉପଗୀୟମାନଚରିତଃ
ଶତଧୃତ୍ୟାଦିଭିର୍ମୁଦା ।
ଗୋମୂତ୍ରୟାବକଂ
ଶ୍ରୁତ୍ୱା ଭ୍ରାତରଂ ବଲ୍କଲାମ୍ବରମ୍ ॥ ୩୪॥
ମହାକାରୁଣିକୋଽତପ୍ୟଜ୍ଜଟିଲଂ
ସ୍ଥଣ୍ଡିଲେଶୟମ୍ ।
ଭରତଃ
ପ୍ରାପ୍ତମାକର୍ଣ୍ୟ ପୌରାମାତ୍ୟପୁରୋହିତୈଃ ॥ ୩୫॥
ପାଦୁକେ ଶିରସି
ନ୍ୟସ୍ୟ ରାମଂ ପ୍ରତ୍ୟୁଦ୍ୟତୋଽଗ୍ରଜମ୍ ।
ନନ୍ଦିଗ୍ରାମାତ୍ସ୍ୱଶିବିରାଦ୍ଗୀତବାଦିତ୍ରନିଃସ୍ୱନୈଃ
॥ ୩୬॥
ବ୍ରହ୍ମଘୋଷେଣ ଚ
ମୁହୁଃ ପଠଦ୍ଭିର୍ବ୍ରହ୍ମବାଦିଭିଃ ।
ସ୍ୱର୍ଣକକ୍ଷପତାକାଭିର୍ହୈମୈଶ୍ଚିତ୍ରଧ୍ୱଜୈ
ରଥୈଃ ॥ ୩୭॥
ସଦଶ୍ୱୈ
ରୁକ୍ମସନ୍ନାହୈର୍ଭଟୈଃ ପୁରଟବର୍ମଭିଃ ।
ଶ୍ରେଣୀଭିର୍ୱାରମୁଖ୍ୟାଭିର୍ଭୃତ୍ୟୈଶ୍ଚୈବ
ପଦାନୁଗୈଃ ॥ ୩୮॥
ପାରମେଷ୍ଠ୍ୟାନ୍ୟୁପାଦାୟ
ପଣ୍ୟାନ୍ୟୁଚ୍ଚାବଚାନି ଚ ।
ପାଦୟୋର୍ନ୍ୟପତତ୍ପ୍ରେମ୍ଣା
ପ୍ରକ୍ଲିନ୍ନହୃଦୟେକ୍ଷଣଃ ॥ ୩୯॥
ଏପଟେ ତ ବ୍ରହ୍ମା
ଆଦି ଲୋକପାଳ ଅତି ଆନନ୍ଦରେ ଭଗବାନଙ୍କର ଲୀଳାଗାନ କରିବାରେ ଲାଗିଥିଲେ, ସେପଟେ ଭଗବାନ ଯେତେବେଳେ
ଜାଣିବାକୁ ପାଇଲେ ଯେ ଏତେ ଦିନ ଧରି ଭରତ କେବଳ ଗୋମୂତ୍ରରେ ରନ୍ଧନ ହୋଇଥିବା ଯଅର ଦଲିଆ ଖାଉଥିଲେ, ବଲ୍କଳ ପରିଧାନ କରୁଥିଲେ ଏବଂ ଜଟାଜୁଟ ଛାଡି
ପୃଥିବୀରେ ଛୁରୀ ବିଛାଇ ତା’ ଉପରେ ଶୟନ
କରୁଥିଲେ, ସେତେବେଳେ ଭଗବାନ ବହୁତ ଦୁଃଖୀ ହେଲେ | ତାଙ୍କ ଦଶାର ସ୍ମରଣ କରି ପରମ କରୁଣାଶୀଳ
ଭଗବାନଙ୍କର ହୃଦୟ ଭରିଗଲା | ଭରତ ଯେତେବେଳେ ଜାଣିବାକୁ ପାଇଲେ ଯେ ତାଙ୍କର ଜ୍ୟେଷ୍ଠ ଭ୍ରାତା
ଭଗବାନ ଶ୍ରୀରାମ ଆଗମନ କରୁଛନ୍ତି, ସେତେବେଳେ ସେ
ଭଗବାନଙ୍କର ଚରଣପାଦୁକା ନିଜ ମସ୍ତକରେ ରଖି ପୁରବାସୀ, ମନ୍ତ୍ରୀ ଏବଂ
ପୁରୋହିତମାନଙ୍କ ସହିତ ପ୍ରଭୁଙ୍କର ଅଭ୍ୟର୍ଥନା କରିବାକୁ ଗଲେ | ଭରତ ନିଜ ନିବାସସ୍ଥାନ
ନନ୍ଦିଗ୍ରାମରୁ ଯାତ୍ରା ଆରମ୍ଭ କଲେ | ଲୋକେ ତାଙ୍କ ସହିତ ବାଜା ବଜାଇ ମଙ୍ଗଳଗାନ କରି କରି
ଚାଲିଥାଆନ୍ତି | ବେଦବାଦୀ ବ୍ରାହ୍ମଣ ବେଦମନ୍ତ୍ର ଉଚ୍ଚାରଣ କରୁଥାଆନ୍ତି, ଯାହାର ଧ୍ବନି ଚତୁର୍ଦ୍ଦିଗରେ ଗୁଞ୍ଜରିତ ହେଉଥାଏ |
ସୁନେଲି ରଙ୍ଗର ଚିତ୍ର-ବିଚିତ୍ର ପତାକା ଲହରୀ ଖେଳୁଥାଏ | ରଙ୍ଗ-ବେରଙ୍ଗ ଧ୍ବଜାରେ ଶୋଭିତ
ସ୍ବର୍ଣ୍ଣଜଟିତ ରଥ, ସ୍ବର୍ଣ୍ଣ ଆଭୂଷଣରେ ସଜ୍ଜିତ
ସୁନ୍ଦର ସୁନ୍ଦର ଘୋଡା ତଥା ସୁବର୍ଣ୍ଣ କବଚ ଧାରଣ କରିଥିବା ପଦାତିକ ସୈନ୍ୟ ତାଙ୍କ ସହିତ
ଚାଲିଥାଆନ୍ତି | ସେଠ-ସାହୂକାର, ଶ୍ରେଷ୍ଠ
ବାରାଙ୍ଗନା, ପଦାତିକ ସେବକ ଏବଂ
ମହାରାଜାମାନଙ୍କର ଯୋଗ୍ୟ ଛୋଟ-ବଡ ସବୁ ସାଜ ତାଙ୍କ ସହିତ ଚାଲିଥାଆନ୍ତି | ଭଗବାନଙ୍କୁ ଦେଖିବା
ମାତ୍ରେ ପ୍ରେମର ଉଦ୍ରେକରେ ଭରତଙ୍କର ହୃଦୟ ଗଦଗଦ ହୋଇ ଉଠିଲା, ନେତ୍ର ଅଶ୍ରୁ ପ୍ଲାବିତ ହେଲା, ସେ
ଭଗବାନଙ୍କ ଚରଣରେ ପଡିଗଲେ |
ପାଦୁକେ ନ୍ୟସ୍ୟ
ପୁରତଃ ପ୍ରାଞ୍ଜଲିର୍ବାଷ୍ପଲୋଚନଃ ।
ତମାଶ୍ଲିଷ୍ୟ ଚିରଂ
ଦୋର୍ଭ୍ୟାଂ ସ୍ନାପୟନ୍ ନେତ୍ରଜୈର୍ଜଲୈଃ ॥ ୪୦॥
ପ୍ରଭୁଙ୍କ
ସମ୍ମୁଖରେ ତାଙ୍କର ଚରଣପାଦୁକା ରଖି ସେ ହାତ ଯୋଡି ଠିଆ ହୋଇଗଲେ | ତାଙ୍କ ନେତ୍ରରୁ ଅଶ୍ରୁଧାରା
ପ୍ରବାହିତ ହେବାରେ ଲାଗିଥାଏ | ଭଗବାନ ଭୁଜ ମେଲାଇ ତାଙ୍କର ଆଲିଙ୍ଗନ କରି ବହୁତ ସମୟ ଯାଏଁ
ତାଙ୍କୁ ହୃଦୟରେ ଲଗାଇ ରଖିଲେ | ଭଗବାନଙ୍କ ନେତ୍ରଜଳରେ ଭରତଙ୍କର ସ୍ନାନ ହୋଇଗଲା |
ରାମୋ
ଲକ୍ଷ୍ମଣସୀତାଭ୍ୟାଂ ବିପ୍ରେଭ୍ୟୋ ଯେଽର୍ହସତ୍ତମାଃ ।
ତେଭ୍ୟଃ ସ୍ୱୟଂ
ନମଶ୍ଚକ୍ରେ ପ୍ରଜାଭିଶ୍ଚ ନମସ୍କୃତଃ ॥ ୪୧॥
ଏହାପରେ ଦେବୀ ସୀତା
ଏବଂ ଲକ୍ଷ୍ମଣଙ୍କ ସହିତ ଭଗବାନ ଶ୍ରୀରାମ ବ୍ରାହ୍ମଣ ଓ ପୂଜନୀୟ ଗୁରୁଜନମାନଙ୍କୁ ନମସ୍କାର କଲେ |
ପ୍ରଜାମାନେ ପ୍ରେମର ସହିତ ମସ୍ତକ ଅବନତ କରି ଭଗବାନଙ୍କୁ ପ୍ରଣାମ କଲେ |
ଧୁନ୍ୱନ୍ତ
ଉତ୍ତରାସଙ୍ଗାନ୍ ପତିଂ ବୀକ୍ଷ୍ୟ ଚିରାଗତମ୍ ।
ଉତ୍ତରାଃ କୋସଲା
ମାଲ୍ୟୈଃ କିରନ୍ତୋ ନନୃତୁର୍ମୁଦା ॥ ୪୨॥
ସେହି ସମୟରେ ଉତ୍ତର
କୋସଳ ଦେଶ ନିବାସୀ ସମସ୍ତ ପ୍ରଜା ବହୁ ଦିନ ପରେ ନିଜ ସ୍ବାମୀଙ୍କୁ ଫେରି ଆସିଥିବା ଦେଖି ହର୍ଷ
ଏବଂ ଆନନ୍ଦରେ ନିଜର ଓଢ଼ଣୀ ହଲାଇ, ପୁଷ୍ପବୃଷ୍ଟି କରି
ନାଚିବାରେ ଲାଗିଲେ |
ପାଦୁକେ
ଭରତୋଽଗୃହ୍ଣାଚ୍ଚାମରବ୍ୟଜନୋତ୍ତମେ ।
ବିଭୀଷଣଃ
ସସୁଗ୍ରୀବଃ ଶ୍ୱେତଚ୍ଛତ୍ରଂ ମରୁତ୍ସୁତଃ ॥ ୪୩॥
ଭରତ ଭଗବାନଙ୍କର
ପାଦୁକା ଧାରଣ କଲେ; ବିଭୀଷଣ ଶ୍ରେଷ୍ଠ ଚାମର, ସୁଗ୍ରୀବ ପଂଖା ଏବଂ ବୀର ହନୁମାନ ଶ୍ବେତ ଛତ୍ର ଧାରଣ
କଲେ |
ଧନୁର୍ନିଷଙ୍ଗାନ୍
ଶତ୍ରୁଘ୍ନଃ ସୀତା ତୀର୍ଥକମଣ୍ଡଲୁମ୍ ।
ଅବିଭ୍ରଦଙ୍ଗଦଃ
ଖଡ୍ଗଂ ହୈମଂ ଚର୍ମର୍କ୍ଷରାଣ୍ନୃପ ॥ ୪୪॥
ପରୀକ୍ଷିତ !
ଶତ୍ରୁଘ୍ନ ଧନୁ ଏବଂ ତୂଣୀର, ଦେବୀ ସୀତା
ତୀର୍ଥଜଳରେ ଭରା କମଣ୍ଡଳୁ, ଅଙ୍ଗଦ ସୁବର୍ଣ୍ଣ
ଖଡ୍ଗ ଏବଂ ଜାମ୍ବବାନ ଢାଲ ଧାରଣ କଲେ |
ପୁଷ୍ପକସ୍ଥୋଽନ୍ୱିତଃ
ସ୍ତ୍ରୀଭିଃ ସ୍ତୂୟମାନଶ୍ଚ ବନ୍ଦିଭିଃ ।
ବିରେଜେ ଭଗବାନ୍
ରାଜନ୍ ଗ୍ରହୈଶ୍ଚନ୍ଦ୍ର ଇବୋଦିତଃ ॥ ୪୫॥
ଏମାନଙ୍କ ସହିତ
ଭଗବାନ ପୁଷ୍ପକ ବିମାନରେ ବିରାଜମାନ ହେଲେ | ଚାରି ପାଖରେ ଯଥାସ୍ଥାନରେ ସ୍ତ୍ରୀମାନେ ବସିଗଲେ |
ବନ୍ଦୀଜନ ସ୍ତୁତି କରିବାରେ ଲାଗିଲେ | ସେହି ସମୟରେ ପୁଷ୍ପକ ବିମାନରେ ଭଗବାନ ଶ୍ରୀରାମ ଏପରି
ଶୋଭାୟମାନ ହେଉଥାଆନ୍ତି, ଯେପରି କି ଗ୍ରହମାନଙ୍କ
ସହିତ ଚନ୍ଦ୍ରମା ଉଦୟ ହୋଇଛନ୍ତି |
ଭ୍ରାତୃଭିର୍ନନ୍ଦିତଃ
ସୋଽପି ସୋତ୍ସବାଂ ପ୍ରାବିଶତ୍ପୁରୀମ୍ ।
ପ୍ରବିଶ୍ୟ ରାଜଭବନଂ
ଗୁରୁପତ୍ନୀଃ ସ୍ୱମାତରମ୍ ॥ ୪୬॥
ଗୁରୂନ୍
ବୟସ୍ୟାବରଜାନ୍ ପୂଜିତଃ ପ୍ରତ୍ୟପୂଜୟତ୍ ।
ବୈଦେହୀ
ଲକ୍ଷ୍ମଣଶ୍ଚୈବ ଯଥାବତ୍ସମୁପେୟତୁଃ ॥ ୪୭॥
ଏହିପରି ଭାବରେ
ଭଗବାନ ଭାଈମାନଙ୍କର ଅଭିନନ୍ଦନ ସ୍ବୀକାର କରି ସେମାନଙ୍କ ସହିତ ଅଯୋଧ୍ୟାପୁରୀରେ ପ୍ରବେଶ କଲେ |
ସେହି ସମୟରେ ଅଯୋଧ୍ୟାପୁରୀ ଆନନ୍ଦ-ଉତ୍ସବରେ ପରିପୂର୍ଣ୍ଣ ହୋଇ ଉଠିଥିଲା | ରାଜମହଲରେ ପ୍ରବେଶ
କରି ସେ ନିଜ ମାତା କୌଶଲ୍ୟା, ଅନ୍ୟ ମାତା, ଗୁରୁଜନ, ସମବୟସ୍କ ମିତ୍ର
ଏବଂ କନିଷ୍ଠମାନଙ୍କର ଯଥାଯୋଗ୍ୟ ସମ୍ମାନ କଲେ ତଥା ସେମାନଙ୍କର ସମ୍ମାନ ସ୍ବୀକାର କଲେ |
ଭଗବାନଙ୍କ ସହିତ ଦେବୀ ସୀତା ଏବଂ ଲକ୍ଷ୍ମଣ ମଧ୍ୟ ସମସ୍ତଙ୍କ ପ୍ରତି ଯଥାଯୋଗ୍ୟ ବ୍ୟବହାର କଲେ |
ପୁତ୍ରାନ୍
ସ୍ୱମାତରସ୍ତାସ୍ତୁ ପ୍ରାଣାଂସ୍ତନ୍ୱ ଇବୋତ୍ଥିତାଃ ।
ଆରୋପ୍ୟାଙ୍କେଽଭିଷିଞ୍ଚନ୍ତ୍ୟୋ
ବାଷ୍ପୌଘୈର୍ୱିଜହୁଃ ଶୁଚଃ ॥ ୪୮॥
ମୃତକ ଶରୀରରେ
ପ୍ରାଣ ସଞ୍ଚାର ହେବା ପରି ମାତାମାନେ ନିଜ ପୁତ୍ରଙ୍କ ଆଗମନରେ ହର୍ଷିତ ହୋଇ ଉଠିଲେ | ସେମାନେ
ନିଜ ପୁତ୍ରଙ୍କୁ କୋଳରେ ବସାଇ ନିଜ ଅଶ୍ରୁଜଳରେ ସେମାନଙ୍କର ଅଭିଷେକ କଲେ | ସେମାନଙ୍କର ସମସ୍ତ
ଶୋକ ଦୂର ହୋଇଗଲା |
ଜଟା ନିର୍ମୁଚ୍ୟ
ବିଧିବତ୍କୁଲବୃଦ୍ଧୈଃ ସମଂ ଗୁରୁଃ ।
ଅଭ୍ୟଷିଞ୍ଚଦ୍ୟଥୈବେନ୍ଦ୍ରଂ
ଚତୁଃସିନ୍ଧୁଜଲାଦିଭିଃ ॥ ୪୯॥
ତଦନନ୍ତର ଗୁରୁ
ବସିଷ୍ଠ ଅନ୍ୟ ଗୁରୁଜନମାନଙ୍କ ସହିତ ବିଧିପୂର୍ବକ ଭଗବାନଙ୍କର ଜଟା ଉଚ୍ଛେଦ କଲେ ଏବଂ ବୃହଷ୍ପତି
ଇନ୍ଦ୍ରଙ୍କର ଅଭିଷେକ କରିବା ପରି ଚାରି ସମୁଦ୍ରର ଜଳ ଆଦିରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର
ଅଭିଷେକ କଲେ |
ଏବଂ
କୃତଶିରଃସ୍ନାନଃ ସୁବାସାଃ ସ୍ରଗ୍ୱ୍ୟଲଙ୍କୃତଃ ।
ସ୍ୱଲଙ୍କୃତୈଃ
ସୁବାସୋଭିର୍ଭ୍ରାତୃଭିର୍ଭାର୍ୟଯା ବଭୌ ॥ ୫୦॥
ଏହିରୂପେ ପୂର୍ଣ୍ଣ
ସ୍ନାନ କରି ଭଗବାନ ଶ୍ରୀରାମ ସୁନ୍ଦର ବସ୍ତ୍ର, ପୁଷ୍ପମାଲ୍ୟ ଏବଂ
ଅଳଙ୍କାର ଧାରଣ କଲେ | ସବୁ ଭାଈ ଏବଂ ଦେବୀ ଜାନକୀ ମଧ୍ୟ ସୁନ୍ଦର-ସୁନ୍ଦର ବସ୍ତ୍ର-ଆଭୂଷଣ ଧାରଣ
କଲେ | ସମସ୍ତଙ୍କ ସହିତ ଭଗବାନ ଶ୍ରୀରାମ ଅତ୍ୟନ୍ତ ଶୋଭାୟମାନ ହେଲେ |
ଅଗ୍ରହୀଦାସନଂ
ଭ୍ରାତ୍ରା ପ୍ରଣିପତ୍ୟ ପ୍ରସାଦିତଃ ।
ପ୍ରଜାଃ
ସ୍ୱଧର୍ମନିରତା ବର୍ଣାଶ୍ରମଗୁଣାନ୍ୱିତାଃ ।
ଜୁଗୋପ
ପିତୃବଦ୍ରାମୋ ମେନିରେ ପିତରଂ ଚ ତମ୍ ॥ ୫୧॥
ଭରତ ତାଙ୍କ ଚରଣ
ତଳେ ପଡି ତାଙ୍କୁ ପ୍ରସନ୍ନ କଲେ ଏବଂ ଭରତଙ୍କ ଅନୁରୋଧରେ ଭଗବାନ ଶ୍ରୀରାମ ରାଜସିଂହାସନ ସ୍ବୀକାର
କଲେ | ଏହା ପରେ ସେ ନିଜ-ନିଜ ଧର୍ମରେ ତତ୍ପର ତଥା ବର୍ଣ୍ଣାଶ୍ରମ ଆଚାର ନିର୍ବାହ କରୁଥିବା
ପ୍ରଜାମାନଙ୍କୁ ପିତାତୁଲ୍ୟ ପାଳନ କରିବାରେ ଲାଗିଲେ | ପ୍ରଜାମାନେ ମଧ୍ୟ ତାଙ୍କୁ ନିଜର ପିତା
ମନେ କରୁଥିଲେ |
ତ୍ରେତାୟାଂ
ବର୍ତମାନାୟାଂ କାଲଃ କୃତସମୋଽଭବତ୍ ।
ରାମେ ରାଜନି
ଧର୍ମଜ୍ଞେ ସର୍ୱଭୂତସୁଖାବହେ ॥ ୫୨॥
ପରୀକ୍ଷିତ ! ସମସ୍ତ
ପ୍ରାଣୀଙ୍କୁ ସୁଖ ପ୍ରଦାନ କରୁଥିବା ଭଗବାନ ଶ୍ରୀରାମ ଯେତେବେଳେ ରାଜା ହେଲେ, ସେତେବେଳେ ତ୍ରେତାଯୁଗ ଥିଲା; କିନ୍ତୁ ମନେ ହେଉଥିଲା ସତେ ଯେପରି ତାହା ସତ୍ୟଯୁଗ
ଅଟେ |
ବନାନି ନଦ୍ୟୋ
ଗିରୟୋ ବର୍ଷାଣି ଦ୍ୱୀପସିନ୍ଧବଃ ।
ସର୍ୱେ କାମଦୁଘା
ଆସନ୍ ପ୍ରଜାନାଂ ଭରତର୍ଷଭ ॥ ୫୩॥
ପରୀକ୍ଷିତ ! ସେହି
ସମୟରେ ବନ, ନଦୀ, ପର୍ବତ, ବର୍ଷ, ଦ୍ବୀପ, ସମୁଦ୍ର ଆଦି
ସମସ୍ତେ ପ୍ରଜା ନିମନ୍ତେ କାମଧେନୁ ସଦୃଶ ସମସ୍ତ କାମନାର ପୂର୍ତ୍ତିକାରୀ ଥିଲେ |
ନାଧିବ୍ୟାଧିଜରାଗ୍ଲାନିଦୁଃଖଶୋକଭୟକ୍ଲମାଃ
।
ମୃତ୍ୟୁଶ୍ଚାନିଚ୍ଛତାଂ
ନାସୀଦ୍ରାମେ ରାଜନ୍ୟଧୋକ୍ଷଜେ ॥ ୫୪॥
ଇନ୍ଦ୍ରିୟାତୀତ
ଭଗବାନ ଶ୍ରୀରାମଙ୍କର ରାଜତ୍ବ କାଳରେ କେହି ମାନସିକ ଚିନ୍ତା ବା ଶାରୀରିକ ବ୍ୟାଧିରେ ପୀଡିତ ହେଉ
ନ ଥିଲେ | ବାର୍ଦ୍ଧକ୍ୟ, ଦୁର୍ବଳତା, ଦୁଃଖ, ଶୋକ, ଭୟ, ନିର୍ବେଦର ନାମଗନ୍ଧ ସୁଦ୍ଧା ନ ଥିଲା | ଏପରି କି ଯିଏ
ମୃତ୍ୟୁ ଇଚ୍ଛା କରୁ ନ ଥିଲେ, ତାଙ୍କର ମୃତ୍ୟୁ ମଧ୍ୟ ହେଉ ନ ଥିଲା |
ଏକପତ୍ନୀବ୍ରତଧରୋ
ରାଜର୍ଷିଚରିତଃ ଶୁଚିଃ ।
ସ୍ୱଧର୍ମଂ
ଗୃହମେଧୀୟଂ ଶିକ୍ଷୟନ୍ ସ୍ୱୟମାଚରତ୍ ॥ ୫୫॥
ଭଗବାନ ଶ୍ରୀରାମ
ଏକପତ୍ନୀ ବ୍ରତ ଧାରଣ କରିଥିଲେ | ତାଙ୍କର ଚରିତ୍ର ଅତ୍ୟନ୍ତ ପବିତ୍ର ଏବଂ ରାଜର୍ଷିମାନଙ୍କ ପରି
ଥିଲା | ସେ ଗୃହସ୍ଥୋଚିତ ସ୍ବଧର୍ମର ଶିକ୍ଷା ଦେବା ନିମନ୍ତେ ସ୍ବୟଂ ସେହି ଧର୍ମର ଆଚରଣ କରୁଥିଲେ
|
ପ୍ରେମ୍ଣାନୁବୃତ୍ତ୍ୟା
ଶୀଲେନ ପ୍ରଶ୍ରୟାବନତା ସତୀ ।
ଭିୟା ହ୍ରିୟା ଚ
ଭାବଜ୍ଞା ଭର୍ତୁଃ ସୀତାହରନ୍ମନଃ ॥ ୫୬॥
ସତୀଶିରୋମଣି ଦେବୀ
ସୀତା ନିଜ ପତିଙ୍କର ହୃଦୟର ଭାବକୁ ଜାଣୁଥିଲେ | ସେ ପ୍ରେମ, ସେବା, ଶୀଳ, ବିନୟ ତଥା ନିଜର
ବୁଦ୍ଧି ଏବଂ ଲଜ୍ୟା ଆଦି ଗୁଣରେ ଭଗବାନ ଶ୍ରୀରାମଙ୍କର ଚିତ୍ତହରଣ କରୁଥିଲେ |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ
ରାମଚରିତେ ଦଶମୋଽଧ୍ୟାୟଃ ॥ ୧୦॥

Comments
Post a Comment