ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ନବମ ସ୍କନ୍ଧ ॥

ଚତୁର୍ଦ୍ଦଶ ଅଧ୍ୟାୟ

ଚନ୍ଦ୍ରବଂଶର ବର୍ଣ୍ଣନ

 

ଶ୍ରୀଶୁକ ଉବାଚ

ଅଥାତଃ ଶ୍ରୂୟତାଂ ରାଜନ୍ ବଂଶଃ ସୋମସ୍ୟ ପାବନଃ ।

ଯସ୍ମିନ୍ନୈଲାଦୟୋ ଭୂପାଃ କୀର୍ତ୍ୟନ୍ତେ ପୁଣ୍ୟକୀର୍ତୟଃ ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଏବେ ମୁଁ ତୁମକୁ ଚନ୍ଦ୍ରମାଙ୍କ ପାବନ ବଂଶର ବର୍ଣ୍ଣନା କରି ଶୁଣାଉଛି | ଏହି ବଂଶରେ ପୁରୂରବା ଆଦି ପବିତ୍ରକୀର୍ତ୍ତି ରାଜାମାନଙ୍କର କୀର୍ତ୍ତନ କରା ଯାଇଥାଏ |

ସହସ୍ରଶିରସଃ ପୁଂସୋ ନାଭିହ୍ରଦସରୋରୁହାତ୍ ।

ଜାତସ୍ୟାସୀତ୍ସୁତୋ ଧାତୁରତ୍ରିଃ ପିତୃସମୋ ଗୁଣୈଃ ॥ ୨॥

ସହସ୍ରସିରଧାରୀ ବିରାଟ ପୁରୁଷ ନାରାୟଣଙ୍କର ନାଭିକମଳରୁ ବ୍ରହ୍ମାଙ୍କର ଉତ୍ପତ୍ତି ହେଲା | ବ୍ରହ୍ମାଙ୍କର ପୁତ୍ର ଅତ୍ରି; ସେ ନିଜ ଗୁଣରେ ବ୍ରହ୍ମାଙ୍କ ସଦୃଶ ଥିଲେ |

ତସ୍ୟ ଦୃଗ୍ଭ୍ୟୋଽଭବତ୍ପୁତ୍ରଃ ସୋମୋଽମୃତମୟଃ କିଲ ।

ବିପ୍ରୌଷଧ୍ୟୁଡୁଗଣାନାଂ ବ୍ରହ୍ମଣା କଲ୍ପିତଃ ପତିଃ ॥ ୩॥

ସେହି ଅତ୍ରି ମୁନିଙ୍କ ନେତ୍ରରୁ ଅମୃତମୟ ଚନ୍ଦ୍ରମାଙ୍କର ଜନ୍ମ ହେଲା | ବ୍ରହ୍ମାଜୀ ତାଙ୍କୁ ବ୍ରାହ୍ମଣ, ଔଷଧି ଏବଂ ନକ୍ଷତ୍ରମାନଙ୍କର ଅଧିପତି ନିଯୁକ୍ତ କଲେ |

ସୋଽୟଜଦ୍ରାଜସୂୟେନ ବିଜିତ୍ୟ ଭୁବନତ୍ରୟମ୍ ।

ପତ୍ନୀଂ ବୃହସ୍ପତେର୍ଦର୍ପାତ୍ତାରାଂ ନାମାହରଦ୍ବଲାତ୍ ॥ ୪॥

ଚନ୍ଦ୍ରମା ତ୍ରିଲୋକ ବିଜୟ କରି ରାଜସୂୟ ଯଜ୍ଞ କଲେ, ଯାହା ଫଳରେ ତାଙ୍କର ଅହଂକାର ଏତେ ବୃଦ୍ଧି ଲାଭ କଲା ଯେ ସେ ବଳପୂର୍ବକ ବୃହଷ୍ପତିଙ୍କର ପତ୍ନୀ ତାରାଙ୍କୁ ହରଣ କରିନେଲେ |

ଯଦା ସ ଦେବଗୁରୁଣା ଯାଚିତୋଽଭୀକ୍ଷ୍ଣଶୋ ମଦାତ୍ ।

ନାତ୍ୟଜତ୍ତତ୍କୃତେ ଜଜ୍ଞେ ସୁରଦାନବବିଗ୍ରହଃ ॥ ୫॥

ନିଜ ପତ୍ନୀଙ୍କୁ ଫେରାଇ ଦେବା ପାଇଁ ଦେବଗୁରୁ ବୃହଷ୍ପତି ତାଙ୍କୁ ବାରମ୍ବାର ଯାଚନା କଲେ, କିନ୍ତୁ ଚନ୍ଦ୍ରମା ଏତେ ବେଶୀ ଉନ୍ମତ୍ତ ହୋଇ ଯାଇଥିଲେ ଯେ ସେ ତାଙ୍କ ପତ୍ନୀଙ୍କୁ ଫେରାଇଲେ ନାହିଁ | ଏହି ପରିସ୍ଥିତିରେ ଦେବତା ଓ ଦାନବଙ୍କ ମଧ୍ୟରେ ସେହି ଘଟଣାକୁ ନେଇ ଘୋର ସଂଗ୍ରାମ ଆରମ୍ଭ ହୋଇଗଲା |

ଶୁକ୍ରୋ ବୃହସ୍ପତେର୍ଦ୍ୱେଷାଦଗ୍ରହୀତ୍ସାସୁରୋଡୁପମ୍ ।

ହରୋ ଗୁରୁସୁତଂ ସ୍ନେହାତ୍ସର୍ୱଭୂତଗଣାବୃତଃ ॥ ୬॥

ବୃହଷ୍ପତିଙ୍କ ପ୍ରତି ଦ୍ବେଷବୁଦ୍ଧି ରହିଥିବା କାରଣରୁ ଶୁକ୍ରାଚାର୍ଯ୍ୟ ଚନ୍ଦ୍ରମାଙ୍କର ପକ୍ଷ ଗ୍ରହଣ କଲେ ଏବଂ ସ୍ନେହବଶ ସମସ୍ତ ଭୂତଗଣଙ୍କୁ ସଙ୍ଗରେ ନେଇ ଦେବ ଦେବ ମହାଦେବ ନିଜ ବିଦ୍ୟାଗୁରୁ ଅଙ୍ଗିରାପୁତ୍ର ବୃହଷ୍ପତିଙ୍କର ପକ୍ଷ ନେଲେ |

ସର୍ୱଦେବଗଣୋପେତୋ ମହେନ୍ଦ୍ରୋ ଗୁରୁମନ୍ୱୟାତ୍ ।

ସୁରାସୁରବିନାଶୋଽଭୂତ୍ସମରସ୍ତାରକାମୟଃ ॥ ୭॥

ଦେବରାଜ ଇନ୍ଦ୍ର ମଧ୍ୟ ସମସ୍ତ ଦେବତାଙ୍କ ସହିତ ନିଜ ଗୁରୁ ବୃହଷ୍ପତିଙ୍କର ପକ୍ଷ ଗ୍ରହଣ କଲେ | ଏହିପରି ଭାବରେ ତାରାଙ୍କୁ ନିମିତ୍ତ କରି ଦେବତା ଓ ଦାନବଙ୍କ ମଧ୍ୟରେ ସଂହାରକାରୀ ଘୋର ସଂଗ୍ରାମ ଆରମ୍ଭ ହୋଇଗଲା |

ନିବେଦିତୋଽଥାଙ୍ଗିରସା ସୋମଂ ନିର୍ଭର୍ତ୍ସ୍ୟ ବିଶ୍ୱକୃତ୍ ।

ତାରାଂ ସ୍ୱଭର୍ତ୍ରେ ପ୍ରାୟଚ୍ଛଦନ୍ତର୍ୱତ୍ନୀମବୈତ୍ପତିଃ ॥ ୮॥

ତଦନନ୍ତର ଅଙ୍ଗିରା ଋଷି ବ୍ରହ୍ମାଙ୍କ ପାଖକୁ ଯାଇ ଯୁଦ୍ଧର ଅବସାନ ନିମନ୍ତେ ତାଙ୍କୁ ପ୍ରାର୍ଥନା କଲେ | ତାହା ଶୁଣି ଚନ୍ଦ୍ରମାଙ୍କୁ ବ୍ରହ୍ମା ବହୁତ ବେଶୀ ଭର୍ତ୍ସନା କଲେ ଏବଂ ତାରାଙ୍କୁ ତାଙ୍କ ପତି ବୃହଷ୍ପତିଙ୍କୁ ଫେରାଇ ଦେଲେ | ଏହାପରେ ବୃହଷ୍ପତି ଯେତେବେଳେ ଜାଣିବାକୁ ପାଇଲେ ଯେ ତାରା ଗର୍ଭବତୀ ଅଛନ୍ତି, ସେତେବେଳେ ସେ କହିଲେ-

ତ୍ୟଜ ତ୍ୟଜାଶୁ ଦୁଷ୍ପ୍ରଜ୍ଞେ ମତ୍କ୍ଷେତ୍ରାଦାହିତଂ ପରୈଃ ।

ନାହଂ ତ୍ୱାଂ ଭସ୍ମସାତ୍କୁର୍ୟାଂ ସ୍ତ୍ରିୟଂ ସାନ୍ତାନିକଃ ସତି ॥ ୯॥

ରେ ଦୁଷ୍ଟା ! ମୋ କ୍ଷେତ୍ରରେ ରହି ତୁ ଅନ୍ୟ କାହାର ସନ୍ତାନକୁ ଗର୍ଭରେ ଧାରଣ କରିଛୁ | ତୁ ଅତି ଶୀଘ୍ର ଏହାକୁ ତ୍ୟାଗ କର | ମୁଁ ତୋତେ ଜଳାଇବି ନାହିଁ; କାରଣ ଏକରେ ତ ତୁ ସ୍ତ୍ରୀ ଅଟୁ ଏବଂ ଦୁଇରେ ମୋର ମଧ୍ୟ ସନ୍ତାନ କାମନା ରହିଛି | ଦେବୀ ହୋଇଥିବା କାରଣରୁ ତୁ ନିର୍ଦୋଷ ମଧ୍ୟ ଅଟୁ |

ତତ୍ୟାଜ ବ୍ରୀଡିତା ତାରା କୁମାରଂ କନକପ୍ରଭମ୍ ।

ସ୍ପୃହାମାଙ୍ଗିରସଶ୍ଚକ୍ରେ କୁମାରେ ସୋମ ଏବ ଚ ॥ ୧୦॥

ନିଜ ପତିଙ୍କର କଥା ଶୁଣି ତାରା ଅତ୍ୟନ୍ତ ଲଜ୍ଜିତ ହେଲେ ଏବଂ ସେ ସୁବର୍ଣ୍ଣକାନ୍ତିଯୁକ୍ତ ଏକ ବାଳକକୁ ନିଜ ଗର୍ଭଚ୍ୟୁତ କରିଦେଲେ | ସେହି ବାଳକକୁ ଦେଖି ଉଭୟ ବୃହଷ୍ପତି ଏବଂ ଚନ୍ଦ୍ରମା ମୋହିତ ହୋଇଗଲେ | ଦୁହେଁ ବାଳକଟିକୁ ନିଜର କରିବାକୁ ଇଚ୍ଛା କଲେ |

ମମାୟଂ ନ ତବେତ୍ୟୁଚ୍ଚୈସ୍ତସ୍ମିନ୍ ବିବଦମାନୟୋଃ ।

ପପ୍ରଚ୍ଛୁରୃଷୟୋ ଦେବା ନୈବୋଚେ ବ୍ରୀଡିତା ତୁ ସା ॥ ୧୧॥

ଏବେ ସେମାନେ ଦୁହେଁ ‘ଇଏ ତୁମର ନୁହେଁ, ମୋର ଅଟେ କହି ଖୁବ୍ ଜୋରରେ ପରସ୍ପର ମଧ୍ୟରେ ଝଗଡା କରିବାରେ ଲାଗିଲେ | ଋଷି ଏବଂ ଦେବତାମାନେ ତାରାଙ୍କୁ ପଚାରିଲେ, ‘ଇଏ କାହାର ପୁତ୍ର ଅଟେ ?’ କିନ୍ତୁ ଲଜ୍ଜାବଶ ତାରା କୌଣସି ଉତ୍ତର ଦେଲେ ନାହିଁ |

କୁମାରୋ ମାତରଂ ପ୍ରାହ କୁପିତୋଽଲୀକଲଜ୍ଜୟା ।

କିଂ ନ ବୋଚସ୍ୟସଦ୍ୱୃତ୍ତେ ଆତ୍ମାବଦ୍ୟଂ ବଦାଶୁ ମେ ॥ ୧୨॥

ନିଜ ମାଙ୍କର ଏହି କପଟ ଲଜ୍ଜାରେ କ୍ରୋଧିତ ହୋଇ ସ୍ବୟଂ ବାଳକଟି କହି ଉଠିଲା – ‘ରେ ଦୁଷ୍ଟା ! ତୁ କିଛି କହୁନାହୁଁ କାହିଁକି ? ନିଜ କୁକର୍ମର କଥା ଅତି ଶୀଘ୍ର ମୋ ଆଗରେ ପ୍ରକାଶ କର |’

ବ୍ରହ୍ମା ତାଂ ରହ ଆହୂୟ ସମପ୍ରାକ୍ଷୀଚ୍ଚ ସାନ୍ତ୍ୱୟନ୍ ।

ସୋମସ୍ୟେତ୍ୟାହ ଶନକୈଃ ସୋମସ୍ତଂ ତାବଦଗ୍ରହୀତ୍ ॥ ୧୩॥

ସେହି ସମୟରେ ତାରାଙ୍କୁ ଏକାନ୍ତରେ ଡାକି ବ୍ରହ୍ମା ଯେତେବେଳେ ତାଙ୍କୁ ବୁଝାଇ-ସୁଝାଇ ସବୁ କଥା ପଚାରିଲେ, ସେତେବେଳେ ଅତି ଧୀର ସ୍ବରରେ ତାରା ଉତ୍ତର ଦେଲେ, ‘ଚନ୍ଦ୍ରମା | ସେଥିପାଇଁ ବାଳକଟିକୁ ଚନ୍ଦ୍ରମା ନେଇଗଲେ |

ତସ୍ୟାତ୍ମୟୋନିରକୃତ ବୁଧ ଇତ୍ୟଭିଧାଂ ନୃପ ।

ବୁଦ୍ଧ୍ୟା ଗମ୍ଭୀରୟା ଯେନ ପୁତ୍ରେଣାପୋଡୁରାଣ୍ମୁଦମ୍ ॥ ୧୪॥

ପରୀକ୍ଷିତ ! ସେହି ବାଳକଟିର ନାମ ବ୍ରହ୍ମାଜୀ ‘ବୁଧ ରଖିଲେ, କାରଣ ତାର ବୁଦ୍ଧି ଅତ୍ୟନ୍ତ ଗମ୍ଭୀର ଥିଲା | ଏପରି ପୁତ୍ର ପ୍ରାପ୍ତ କରି ଚନ୍ଦ୍ରମା ଅତିଶୟ ଆନନ୍ଦିତ ହେଲେ |

ତତଃ ପୁରୂରବା ଜଜ୍ଞେ ଇଲାୟାଂ ଯ ଉଦାହୃତଃ ।

ତସ୍ୟ ରୂପଗୁଣୌଦାର୍ୟଶୀଲଦ୍ରବିଣବିକ୍ରମାନ୍ ॥ ୧୫॥

ଶ୍ରୁତ୍ୱୋର୍ୱଶୀନ୍ଦ୍ରଭବନେ ଗୀୟମାନାନ୍ ସୁରର୍ଷିଣା ।

ତଦନ୍ତିକମୁପେୟାୟ ଦେବୀ ସ୍ମରଶରାର୍ଦିତା ॥ ୧୬॥

ପରୀକ୍ଷିତ ! ବୁଧଙ୍କ ଦ୍ବାରା ଇଲାଙ୍କ ଗର୍ଭରୁ ପୁରୂରବାଙ୍କର ଜନ୍ମ ହେଲା | ଏହାର ସମ୍ୟକ ବର୍ଣ୍ଣନା ମୁଁ ପୂର୍ବରୁ କରିସାରିଛି | ଦିନେ ଇନ୍ଦ୍ରଙ୍କ ସଭାରେ ଦେବର୍ଷି ନାରଦ ପୁରୂରବାଙ୍କର ରୂପ, ଗୁଣ, ଉଦାରତା, ଶୀଳ-ସ୍ବଭାବ, ଧନ-ସମ୍ପତ୍ତି ଓ ପରାକ୍ରମର ଗାନ କରୁଥିଲେ | ତାହା ଶୁଣି ଉର୍ବଶୀଙ୍କ ହୃଦୟରେ କାମଭାବର ଉଦୟ ହେଲା ଏବଂ ସେଥିରେ ପୀଡିତ ହୋଇ ସେହି ଦେବାଙ୍ଗନା ପୁରୂରବାଙ୍କ ପାଖକୁ ଚାଲି ଆସିଲେ |

ମିତ୍ରାବରୁଣୟୋଃ ଶାପାଦାପନ୍ନା ନରଲୋକତାମ୍ ।

ନିଶମ୍ୟ ପୁରୁଷଶ୍ରେଷ୍ଠଂ କନ୍ଦର୍ପମିବ ରୂପିଣମ୍ ।

ଧୃତିଂ ବିଷ୍ଟଭ୍ୟ ଲଲନା ଉପତସ୍ଥେ ତଦନ୍ତିକେ ॥ ୧୭॥

ଯଦିଓ ମିତ୍ରାବରୁଣଙ୍କ ଶାପରୁ ଉର୍ବଶୀଙ୍କୁ ମୃତ୍ୟୁଲୋକକୁ ଆସିବାକୁ ପଡିଥିଲା, ତଥାପି ପୁରୁଷଶିରୋମଣି ପୁରୂରବା ମୂର୍ତ୍ତିମାନ କାମଦେବଙ୍କ ସଦୃଶ ସୁନ୍ଦର ଅଟନ୍ତି – ଏହା ଜାଣି ସେ ଧୈର୍ଯ୍ୟ ଧାରଣ କଲେ ଏବଂ ତାଙ୍କ ପାଖକୁ ଚାଲି ଆସିଲେ |

ସ ତାଂ ବିଲୋକ୍ୟ ନୃପତିର୍ହର୍ଷେଣୋତ୍ଫୁଲ୍ଲଲୋଚନଃ ।

ଉବାଚ ଶ୍ଲକ୍ଷ୍ଣୟା ବାଚା ଦେବୀଂ ହୃଷ୍ଟତନୂରୁହଃ ॥ ୧୮॥

ଦେବାଙ୍ଗନା ଉର୍ବଶୀଙ୍କୁ ଦେଖି ରାଜା ପୁରୂରବାଙ୍କର ନେତ୍ର ପ୍ରଫୁଲ୍ଲିତ ହୋଇ ଉଠିଲା | ତାଙ୍କ ଶରୀରରେ ରୋମାଞ୍ଚ ଜାତ ହେଲା | ସେ ଅତ୍ୟନ୍ତ ମଧୁର ବାଣୀରେ କହିଲେ -

ରାଜୋବାଚ

ସ୍ୱାଗତଂ ତେ ବରାରୋହେ ଆସ୍ୟତାଂ କରବାମ କିମ୍ ।

ସଂରମସ୍ୱ ମୟା ସାକଂ ରତିର୍ନୌ ଶାଶ୍ୱତୀଃ ସମାଃ ॥ ୧୯॥

ରାଜା ପୁରୂରବା କହିଲେ – ହେ ସୁନ୍ଦରୀ ! ତୁମର ସ୍ବାଗତ ଅଟେ | ବସ, ମୁଁ ତୁମର କି ସେବା କରିବି ? ତୁମେ ମୋ ସହିତ ବିହାର କର ଏବଂ ଅନନ୍ତ କାଳଯାଏଁ ଆମର ଏହି ବିହାର ଚାଲିଥାଉ |

ଉର୍ୱଶ୍ୟୁବାଚ

କସ୍ୟାସ୍ତ୍ୱୟି ନ ସଜ୍ଜେତ ମନୋ ଦୃଷ୍ଟିଶ୍ଚ ସୁନ୍ଦର ।

ଯଦଙ୍ଗାନ୍ତରମାସାଦ୍ୟ ଚ୍ୟବତେ ହ ରିରଂସୟା ॥ ୨୦॥

ଉର୍ବଶୀ କହିଲେ – ରାଜନ୍ ! ଆପଣ ସୌନ୍ଦର୍ଯ୍ୟର ମୂର୍ତ୍ତିମାନ ସ୍ବରୂପ ଅଟନ୍ତି | ଭଲା, ଏପରି କେଉଁ କାମିନୀ ଥିବ, ଯାହାର ଦୃଷ୍ଟି ଏବଂ ମନ ଆପଣଙ୍କଠାରେ ଆସକ୍ତ ନ ହେବ ? ଆପଣଙ୍କର ସମୀପସ୍ଥ ହୋଇ ରମଣ ଇଚ୍ଛାରେ ମୋର ମନ ନିଜର ଧୈର୍ଯ୍ୟ ହରାଇ ବସିଛି |

ଏତାବୁରଣକୌ ରାଜନ୍ ନ୍ୟାସୌ ରକ୍ଷସ୍ୱ ମାନଦ ।

ସଂରଂସ୍ୟେ ଭବତା ସାକଂ ଶ୍ଲାଘ୍ୟଃ ସ୍ତ୍ରୀଣାଂ ବରଃ ସ୍ମୃତଃ ॥ ୨୧॥

ରାଜନ୍ ! ରୂପ-ଗୁଣ ଆଦି କାରଣରୁ ପ୍ରଶଂସନୀୟ ପୁରୁଷ ହିଁ ସ୍ତ୍ରୀମାନଙ୍କର ଅଭୀଷ୍ଟ ଅଟନ୍ତି | ତେଣୁ ମୁଁ ଆପଣଙ୍କ ସହିତ ଅବଶ୍ୟ ବିହାର କରିବି | କିନ୍ତୁ ହେ ମୋର ପ୍ରେମୀ ମହାରାଜ ! ମୋର ଏକ ସର୍ତ୍ତ ରହିଛି | ମୁଁ ଦାୟିତ୍ବ ଭାବରେ ଆପଣଙ୍କ ହସ୍ତରେ ଦୁଇଟି ମେଷଶାବକ ଅର୍ପଣ କରୁଛି; ଆପଣ ସେମାନଙ୍କର ରକ୍ଷା କରିବେ |

ଘୃତଂ ମେ ବୀର ଭକ୍ଷ୍ୟଂ ସ୍ୟାନ୍ନେକ୍ଷେ ତ୍ୱାନ୍ୟତ୍ର ମୈଥୁନାତ୍ ।

ବିବାସସଂ ତତ୍ତଥେତି ପ୍ରତିପେଦେ ମହାମନାଃ ॥ ୨୨॥

ବୀରଶିରୋମଣି ! ମୁଁ କେବଳ ଘିଅ ଖାଇବି ଏବଂ ମୈଥୁନ କାଳ ଅତିରିକ୍ତ ଅନ୍ୟ କୌଣସି ସମୟରେ ଆପଣଙ୍କୁ ବସ୍ତ୍ରହୀନ ଭାବରେ ଦେଖିବି ନାହିଁ | ପରମ ମନସ୍ବୀ ପୁରୂରବା ‘ଠିକ୍ ଅଛି କହି ଉର୍ବଶୀଙ୍କର ସର୍ତ୍ତ ସ୍ବୀକାର କରିନେଲେ |

ଅହୋ ରୂପମହୋ ଭାବୋ ନରଲୋକବିମୋହନମ୍ ।

କୋ ନ ସେବେତ ମନୁଜୋ ଦେବୀଂ ତ୍ୱାଂ ସ୍ୱୟମାଗତାମ୍ ॥ ୨୩॥

ତାପରେ ସେ ଉର୍ବଶୀଙ୍କ ଉଦ୍ଦେଶ୍ୟରେ କହିଲେ – ତୁମର ସୌନ୍ଦର୍ଯ୍ୟ ଅଦ୍ଭୁତ ଅଟେ ଏବଂ ଭାବ ଅଲୌକିକ ଅଟେ | ଏହା ତ ସମ୍ପୂର୍ଣ୍ଣ ମନୁଷ୍ୟସୃଷ୍ଟିକୁ ମୋହିତ କରିବାକୁ ସମର୍ଥ | ତାଛଡା ଦେବି ! ତୁମେ ସ୍ବୟଂ କୃପା କରି ଯେତେବେଳେ ଏଠାକୁ ଆସିଛ, ସେତେବେଳେ କେଉଁ ମନୁଷ୍ୟ ଅବା ତୁମର ସେବନ କରିବାକୁ ଲାଳାୟିତ ନ ହେବ ?

ତୟା ସ ପୁରୁଷଶ୍ରେଷ୍ଠୋ ରମୟନ୍ତ୍ୟା ଯଥାର୍ହତଃ ।

ରେମେ ସୁରବିହାରେଷୁ କାମଂ ଚୈତ୍ରରଥାଦିଷୁ ॥ ୨୪॥

ପରୀକ୍ଷିତ ! ତାପରେ ଉର୍ବଶୀ କାମଶାସ୍ତ୍ରୋକ୍ତ ପଦ୍ଧତି ଅନୁସାରେ ପୁରୁଷଶ୍ରେଷ୍ଠ ପୁରୂରବାଙ୍କ ସହିତ ବିହାର କରିବାରେ ଲାଗିଲେ | ସେ ଦୁହେଁ ଦେବତାମାନଙ୍କର ବିହାରସ୍ଥଳୀ ଚୈତ୍ରରଥ, ନନ୍ଦନବନ ଆଦି ଉପବନରେ ମଧ୍ୟ ସ୍ବଚ୍ଛନ୍ଦ ବିହାର କରିବାରେ ଲାଗିଲେ |

ରମମାଣସ୍ତୟା ଦେବ୍ୟା ପଦ୍ମକିଞ୍ଜଲ୍କଗନ୍ଧୟା ।

ତନ୍ମୁଖାମୋଦମୁଷିତୋ ମୁମୁଦେଽହର୍ଗଣାନ୍ ବହୂନ୍ ॥ ୨୫॥

ଦେବୀ ଉର୍ବଶୀଙ୍କ ଶରୀରରୁ କମଳକେଶର ପରି ସୁଗନ୍ଧ ନିର୍ଗତ ହେଉଥିଲା | ରାଜା ପୁରୂରବା ବହୁ ବର୍ଷ ତାଙ୍କ ସହିତ ଆନନ୍ଦ-ବିହାର କଲେ | ତାଙ୍କ ମୁଖର ସୁରଭୀରେ ରାଜା ନିଜର ବୁଧି-ସୁଧି ହରାଇ ବସିଥିଲେ |

ଅପଶ୍ୟନ୍ନୁର୍ୱଶୀମିନ୍ଦ୍ରୋ ଗନ୍ଧର୍ୱାନ୍ ସମଚୋଦୟତ୍ ।

ଉର୍ୱଶୀରହିତଂ ମହ୍ୟମାସ୍ଥାନଂ ନାତିଶୋଭତେ ॥ ୨୬॥

ଏଣେ ଇନ୍ଦ୍ର ଯେତେବେଳେ ଉର୍ବଶୀଙ୍କୁ ସ୍ବର୍ଗରେ ଦେଖିବାକୁ ପାଇଲେ ନାହିଁ, ସେ ଗନ୍ଧର୍ବମାନଙ୍କୁ ଡାକି କହିଲେ – ଉର୍ବଶୀଙ୍କ ବିନା ମୋତେ ଏହି ସ୍ବର୍ଗ ନୀରସ ପ୍ରତୀତ ହେଉଛି; ତେଣୁ ତୁମ୍ଭେମାନେ ଅତି ଶୀଘ୍ର ଯାଇ ତାଙ୍କୁ ଏଠାକୁ ନେଇଆସ |

ତେ ଉପେତ୍ୟ ମହାରାତ୍ରେ ତମସି ପ୍ରତ୍ୟୁପସ୍ଥିତେ ।

ଉର୍ୱଶ୍ୟା ଉରଣୌ ଜହ୍ରୁର୍ନ୍ୟସ୍ତୌ ରାଜନି ଜାୟଯା ॥ ୨୭॥

ଗନ୍ଧର୍ବମାନେ ଅର୍ଦ୍ଧରାତ୍ରୀର ଘୋର ଅନ୍ଧକାରରେ ସେଠାକୁ ଗଲେ ଏବଂ ଉର୍ବଶୀଙ୍କର ଦୁଇ ମେଷଶାବକ, ଯାହାକୁ ସେ ରାଜାଙ୍କ ଦାୟିତ୍ବରେ ରଖିଥିଲେ, ତାହାକୁ ଚୋରାଇ ନେଇଗଲେ |

ନିଶମ୍ୟାକ୍ରନ୍ଦିତଂ ଦେବୀ ପୁତ୍ରୟୋର୍ନୀୟମାନୟୋଃ ।

ହତାସ୍ମ୍ୟହଂ କୁନାଥେନ ନପୁଂସା ବୀରମାନିନା ॥ ୨୮॥

ଗନ୍ଧର୍ବମାନଙ୍କ ଦ୍ବାରା ଅପହୃତ ନିଜ ପୁତ୍ର ସମାନ ପ୍ରିୟ ମେଷଶାବକ ଦ୍ବୟଙ୍କର ‘ଭେଁ ଭେଁ’ ରଡି ଶୁଣି ଉର୍ବଶୀ ଦୁଃଖ ଏବଂ କ୍ରୋଧରେ କହି ଉଠିଲେ – ‘ଆରେ, ଏପରି ଜଣେ ଭୀରୁ ପୁରୁଷକୁ ସ୍ବାମୀ ଭାବରେ ଗ୍ରହଣ କରି ମୁଁ ତ ସର୍ବସ୍ବାନ୍ତ ହୋଇଗଲି ! ଏହି ନପୁଂସକ ନିଜକୁ ବଡ ବୀର ମନେ କରେ, ଅଥଚ ମୋର ମେଷଶାବକ ଦୁହିଁଙ୍କର ମଧ୍ୟ ରକ୍ଷା କରିପାରିଲା ନାହିଁ |

ଯଦ୍ୱିଶ୍ରମ୍ଭାଦହଂ ନଷ୍ଟା ହୃତାପତ୍ୟା ଚ ଦସ୍ୟୁଭିଃ ।

ଯଃ ଶେତେ ନିଶି ସନ୍ତ୍ରସ୍ତୋ ଯଥା ନାରୀ ଦିବା ପୁମାନ୍ ॥ ୨୯॥

ଏହାକୁ ବିଶ୍ବାସ କରି ଏବେ ଚୋରମାନେ ମୋର ଶାବକ ଦ୍ବୟଙ୍କୁ ଚୋରାଇ ନେଲେ | ହାୟ, ମୁଁ ତ ମରିଗଲି ! ଦେଖ ତ, ଦିନରେ ନିଜର ପୌରୁଷ ଦେଖାଉଥିବା ଏହି ରାଜା ରାତିରେ କିପରି ସ୍ତ୍ରୀମାନଙ୍କ ପରି ଡରି ଶୋଇରହିଛି !’

ଇତି ବାକ୍ସାୟକୈର୍ୱିଦ୍ଧଃ ପ୍ରତୋତ୍ତ୍ରୈରିବ କୁଞ୍ଜରଃ ।

ନିଶି ନିସ୍ତ୍ରିଂଶମାଦାୟ ବିବସ୍ତ୍ରୋଽଭ୍ୟଦ୍ରବଦ୍ରୁଷା ॥ ୩୦॥

ପରୀକ୍ଷିତ ! ହାତୀ ଅଙ୍କୁଶବିଦ୍ଧ ହେବା ପରି ଉର୍ବଶୀଙ୍କର ବାକ୍ୟ-ବାଣ ରାଜାଙ୍କୁ ଅତ୍ୟନ୍ତ ଆହତ କଲା | ଅତିଶୟ କ୍ରୋଧରେ ହାତରେ ତରବାରୀ ଧରି ରାଜା ପୁରୂରବା ବସ୍ତ୍ରହୀନ ଅବସ୍ଥାରେ ହିଁ ସେହି ଚୋରମାନଙ୍କର ଅନୁଧାବନ କରିବାକୁ ବାହାରି ଗଲେ |

ତେ ବିସୃଜ୍ୟୋରଣୌ ତତ୍ର ବ୍ୟଦ୍ୟୋତନ୍ତ ସ୍ମ ବିଦ୍ୟୁତଃ ।

ଆଦାୟ ମେଷାବାୟାନ୍ତଂ ନଗ୍ନମୈକ୍ଷତ ସା ପତିମ୍ ॥ ୩୧॥

ତାଙ୍କୁ ଝପଟି ଆସୁଥିବା ଦେଖି ଗନ୍ଧର୍ବମାନେ ମେଷଶାବକ ଦୁହିଁଙ୍କୁ ତ ସେହିଠାରେ ଛାଡିଦେଲେ, କିନ୍ତୁ ସ୍ବୟଂ ବିଜୁଳି ପରି ଚମକିବାରେ ଲାଗିଲେ | ରାଜା ପୁରୂରବା ଶାବକ ଦୁହିଁଙ୍କୁ ଧରି ଫେରି ଆସୁଥିବା ସମୟରେ ବିଜୁଳିର ପ୍ରକାଶରେ ଉର୍ବଶୀ ତାଙ୍କୁ ବସ୍ତ୍ରହୀନ ଅବସ୍ଥାରେ ଦେଖିନେଲେ | (ବାସ୍, ସେହି ସମୟରେ ହିଁ ସେ ରାଜାଙ୍କୁ ଛାଡି ଚାଲିଗଲେ |)

ଐଲୋଽପି ଶୟନେ ଜାୟାମପଶ୍ୟନ୍ ବିମନା ଇବ ।

ତଚ୍ଚିତ୍ତୋ ବିହ୍ୱଲଃ ଶୋଚନ୍ ବଭ୍ରାମୋନ୍ମତ୍ତବନ୍ମହୀମ୍ ॥ ୩୨॥

ପରୀକ୍ଷିତ ! ଶୟନାଗାରରେ ନିଜ ପ୍ରିୟତମା ଉର୍ବଶୀଙ୍କୁ ନ ଦେଖି ରାଜା ପୁରୂରବାଙ୍କର ବୁଦ୍ଧି ହଜିଗଲା | ତାଙ୍କର ଚିତ୍ତ ତ ଉର୍ବଶୀଙ୍କଠାରେ ଲାଗି ରହିଥିଲା | ଏବେ ତାଙ୍କ ବିୟୋଗରେ ଶୋକବିହ୍ବଳ ହୋଇ ସେ ଉନ୍ମତ୍ତବତ୍ ପୃଥିବୀରେ ଏଣେତେଣେ ଘୂରି ବୁଲିଲେ |

ସ ତାଂ ବୀକ୍ଷ୍ୟ କୁରୁକ୍ଷେତ୍ରେ ସରସ୍ୱତ୍ୟାଂ ଚ ତତ୍ସଖୀଃ ।

ପଞ୍ଚ ପ୍ରହୃଷ୍ଟବଦନାଃ ପ୍ରାହ ସୂକ୍ତଂ ପୁରୂରବାଃ ॥ ୩୩॥

ଦିନେ କୁରୁକ୍ଷେତ୍ରରେ ସରସ୍ବତୀ ନଦୀର ତଟଦେଶରେ ସେ ଉର୍ବଶୀ ଏବଂ ତାଙ୍କ ସହିତ ତାଙ୍କର ପଞ୍ଚ ପ୍ରସନ୍ନମୁଖୀ ସଖୀଗଣଙ୍କୁ ଦେଖି ଅତି ମଧୁର ବାଣୀରେ ତାଙ୍କୁ କହିଲେ -

ଅହୋ ଜାୟେ ତିଷ୍ଠ ତିଷ୍ଠ ଘୋରେ ନ ତ୍ୟକ୍ତୁମର୍ହସି ।

ମାଂ ତ୍ୱମଦ୍ୟାପ୍ୟନିର୍ୱୃତ୍ୟ ବଚାଂସି କୃଣବାବହୈ ॥ ୩୪॥

‘ପ୍ରିୟେ ! ଟିକିଏ ସମୟ ରହି ଯାଇ ମୋର ବିନୟ ଘେନା କର | ହେ ନିଷ୍ଠୁର ! ଆଜି ମୋତେ ସୁଖୀ ନ କରି ଚାଲିଯାଅ ନାହିଁ | କ୍ଷଣକାଳ ରହିଯାଅ; ମୋର କଥା ଟିକିଏ ଶୁଣ |

ସୁଦେହୋଽୟଂ ପତତ୍ୟତ୍ର ଦେବି ଦୂରଂ ହୃତସ୍ତ୍ୱୟା ।

ଖାଦନ୍ତ୍ୟେନଂ ବୃକା ଗୃଧ୍ରାସ୍ତ୍ୱତ୍ପ୍ରସାଦସ୍ୟ ନାସ୍ପଦମ୍ ॥ ୩୫॥

ଦେବି ! ମୋର ଏହି ଶରୀର ଉପରେ ଏବେ ତୁମର କୃପା-ପ୍ରସାଦ ରହି ନାହିଁ; ସେଥିପାଇଁ ତୁମେ ଏହାକୁ ଦୂର କରିଦେଇଛ | ମୋର ସୁନ୍ଦର ଶରୀର ଏବେ ଧୀରେ ଧୀରେ ମାଟିର ଢେର ହେବାକୁ ବସିଲାଣି; ଚାହୁଁ ଚାହୁଁ ଏହା ଶୃଗାଳ-ଶାଗୁଣାଙ୍କର ଭକ୍ଷ ହୋଇଯିବ |

ଉର୍ୱଶ୍ୟୁବାଚ

ମା ମୃଥାଃ ପୁରୁଷୋଽସି ତ୍ୱଂ ମା ସ୍ମ ତ୍ୱାଦ୍ୟୁର୍ୱୃକା ଇମେ ।

କ୍ୱାପି ସଖ୍ୟଂ ନ ବୈ ସ୍ତ୍ରୀଣାଂ ବୃକାଣାଂ ହୃଦୟଂ ଯଥା ॥ ୩୬॥

ଉର୍ବଶୀ କହିଲେ – ରାଜନ୍ ! ତୁମେ ପୁରୁଷ ଅଟ; ତେଣୁ ଏପରି ଭାବରେ ତୁମେ ମୃତ୍ୟୁକୁ ଆଦରି ନିଅନାହିଁ | ସ୍ତ୍ରୀମାନେ କାହା ସହିତ ମିତ୍ରତା କରନ୍ତି ନାହିଁ | ସ୍ତ୍ରୀମାନଙ୍କର ହୃଦୟ ଏବଂ ଶୃଗାଳର ହୃଦୟ ସମ୍ପୂର୍ଣ୍ଣ ଭାବରେ ଏକାପରି ଅଟେ | ତେଣୁ ସାବଧାନ ରୁହ; ସତକୁ ସତ ଏହି ଶୃଗାଳମାନେ ଯେପରି ତୁମକୁ ଖାଇ ନ ଯିବେ |

ସ୍ତ୍ରିୟୋ ହ୍ୟକରୁଣାଃ କ୍ରୂରା ଦୁର୍ମର୍ଷାଃ ପ୍ରିୟସାହସାଃ ।

ଘ୍ନନ୍ତ୍ୟଲ୍ପାର୍ଥେଽପି ବିଶ୍ରବ୍ଧଂ ପତିଂ ଭ୍ରାତରମପ୍ୟୁତ ॥ ୩୭॥

ସ୍ତ୍ରୀମାନେ ନିର୍ଦୟୀ ଅଟନ୍ତି | କ୍ରୂରତା ତ ସେମାନଙ୍କଠାରେ ସ୍ବାଭାବିକ ହିଁ ରହିଥାଏ | ସାମାନ୍ୟ କଥାରେ ସେମାନେ ଚିଡିଯାଆନ୍ତି ଏବଂ ନିଜ ସୁଖ ଉଦ୍ଦେଶ୍ୟରେ ବଡ-ବଡ ସାହସିକ କାର୍ଯ୍ୟ ମଧ୍ୟ କରିବସନ୍ତି | ନିଜ ସ୍ବାର୍ଥପୂର୍ତ୍ତି ନିମନ୍ତେ ବିଶ୍ବାସଘାତ କରିବାକୁ ଯାଇ ସେମାନେ ନିଜ ପତି ଏବଂ ଭାଈଙ୍କୁ ମଧ୍ୟ ମାରିଦିଅନ୍ତି |

ବିଧାୟାଲୀକବିଶ୍ରମ୍ଭମଜ୍ଞେଷୁ ତ୍ୟକ୍ତସୌହୃଦାଃ ।

ନବଂ ନବମଭୀପ୍ସନ୍ତ୍ୟଃ ପୁଂଶ୍ଚଲ୍ୟଃ ସ୍ୱୈରବୃତ୍ତୟଃ ॥ ୩୮॥

ସେମାନଙ୍କ ହୃଦୟରେ ସୌହାର୍ଦ୍ୟର ନାମଗନ୍ଧ ସୁଦ୍ଧା ନ ଥାଏ | ସେମାନେ ସରଳ-ନିରୀହ ଲୋକଙ୍କ ମନରେ ଛଳନାରେ ବିଶ୍ବାସ ଜାତ କରାଇ ସେମାନଙ୍କୁ ଫାନ୍ଦରେ ପକାଇ ଦିଅନ୍ତି ଏବଂ ନୂଆ-ନୂଆ ପୁରୁଷଙ୍କର ସେବନ କରି କୁଳଟା ଏବଂ ସ୍ବଚ୍ଛନ୍ଦଚାରିଣୀ ହୋଇଯାଆନ୍ତି |

ସଂବତ୍ସରାନ୍ତେ ହି ଭବାନେକରାତ୍ରଂ ମୟେଶ୍ୱର ।

ବତ୍ସ୍ୟତ୍ୟପତ୍ୟାନି ଚ ତେ ଭବିଷ୍ୟନ୍ତ୍ୟପରାଣି ଭୋଃ ॥ ୩୯॥

ତୁମେ ତ ରାଜରାଜେଶ୍ବର ଅଟ; ସେଥିପାଇଁ ତୁମେ ବ୍ୟସ୍ତ ହୁଅ ନାହିଁ, ଧୈର୍ଯ୍ୟ ଧାରଣ କର | ପ୍ରତି ଏକ ବର୍ଷରେ ଗୋଟିଏ ରାତି ତୁମେ ମୋ ସହିତ ରହିବ | ସେତେବେଳେ ତୁମର ଆହୁରି ବି ସନ୍ତାନ ହେବେ |

ଅନ୍ତର୍ୱତ୍ନୀମୁପାଲକ୍ଷ୍ୟ ଦେବୀଂ ସ ପ୍ରୟଯୌ ପୁରମ୍ ।

ପୁନସ୍ତତ୍ର ଗତୋଽବ୍ଦାନ୍ତେ ଉର୍ୱଶୀଂ ବୀରମାତରମ୍ ॥ ୪୦॥

ରାଜା ପୁରୂରବା ଦେଖିଲେ ଉର୍ବଶୀ ଗର୍ଭବତୀ ଅଛନ୍ତି, ସେଥିପାଇଁ ସେ ନିଜ ରାଜଧାନୀକୁ ଫେରି ଆସିଲେ | ବର୍ଷକ ପରେ ସେ ପୁନର୍ବାର ସେଠାକୁ ଗଲେ | ସେତେବେଳକୁ ଉର୍ବଶୀ ଏକ ବୀର ପୁତ୍ରର ଜନନୀ ହୋଇ ସାରିଥିଲେ |

ଉପଲଭ୍ୟ ମୁଦା ଯୁକ୍ତଃ ସମୁବାସ ତୟା ନିଶାମ୍ ।

ଅଥୈନମୁର୍ୱଶୀ ପ୍ରାହ କୃପଣଂ ବିରହାତୁରମ୍ ॥ ୪୧॥

ଉର୍ବଶୀଙ୍କ ସହିତ ମିଳିତ ହୋଇ ରାଜା ବହୁତ ଖୁସୀ ହେଲେ | ସେ ତାଙ୍କ ସହିତ ଗୋଟିଏ ରାତି ରହିଲେ | ପରଦିନ ସକାଳେ ତାଙ୍କଠାରୁ ବିଦାୟ ନେବା ବେଳକୁ ରାଜା ବିରହ ଦୁଃଖରେ ଅତ୍ୟନ୍ତ ଅଧୀର ହୋଇ ଉଠିଲେ | ତାହା ଦେଖି ଉର୍ବଶୀ ତାଙ୍କୁ କହିଲେ -

ଗନ୍ଧର୍ୱାନୁପଧାବେମାଂସ୍ତୁଭ୍ୟଂ ଦାସ୍ୟନ୍ତି ମାମିତି ।

ତସ୍ୟ ସଂସ୍ତୁବତସ୍ତୁଷ୍ଟା ଅଗ୍ନିସ୍ଥାଲୀଂ ଦଦୁର୍ନୃପ ।

ଉର୍ୱଶୀଂ ମନ୍ୟମାନସ୍ତାଂ ସୋଽବୁଧ୍ୟତ ଚରନ୍ ବନେ ॥ ୪୨॥

‘ତୁମେ ଏହି ଗନ୍ଧର୍ବମାନଙ୍କର ସ୍ତୁତି କର, ସେମାନେ ଇଚ୍ଛା କଲେ ମୋତେ ତୁମକୁ ଦେଇପାରିବେ |’ ତାପରେ ରାଜା ପୁରୂରବା ଗନ୍ଧର୍ବମାନଙ୍କର ସ୍ତୁତି କଲେ | ପରୀକ୍ଷିତ ! ରାଜାଙ୍କର ସ୍ତୁତିରେ ପ୍ରସନ୍ନ ହୋଇ ଗନ୍ଧର୍ବମାନେ ତାଙ୍କୁ ଏକ ଅଗ୍ନିଥାଳି (ଅଗ୍ନି ସ୍ଥାପନ କରିବାର ପାତ୍ର) ପ୍ରଦାନ କଲେ | ରାଜା ତାହାକୁ ଉର୍ବଶୀ ମନେ କରି ଥାଳିଟିକୁ ହୃଦୟରେ ଚାପି ଧରି ବଣରେ-ବଣରେ ଘୂରି ବୁଲିଲେ |

ସ୍ଥାଲୀଂ ନ୍ୟସ୍ୟ ବନେ ଗତ୍ୱା ଗୃହାନାଧ୍ୟାୟତୋ ନିଶି ।

ତ୍ରେତାୟାଂ ସମ୍ପ୍ରବୃତ୍ତାୟାଂ ମନସି ତ୍ରୟ୍ୟବର୍ତତ ॥ ୪୩॥

ତାପରେ ଯେତେବେଳେ ସେ ନିଜର ଚେତନା ଫେରି ପାଇଲେ, ସେତେବେଳେ ସେ ଥାଳିଟିକୁ ବଣରେ ଛାଡି ନିଜ ରାଜମହଲକୁ ଫେରି ଆସିଲେ ଏବଂ ରାତ୍ରୀକାଳରେ ଉର୍ବଶୀଙ୍କର ଧ୍ୟାନ କରିବାରେ ଲାଗିଲେ | ଏହିପରି ଭାବରେ ଯେତେବେଳେ ତ୍ରେତାଯୁଗ ପ୍ରାରମ୍ଭ ହେଲା, ସେତେବେଳେ ତାଙ୍କ ହୃଦୟରେ ବେଦତ୍ରୟ ପ୍ରକଟ ହେଲା |

ସ୍ଥାଲୀସ୍ଥାନଂ ଗତୋଽଶ୍ୱତ୍ଥଂ ଶମୀଗର୍ଭଂ ବିଲକ୍ଷ୍ୟ ସଃ ।

ତେନ ଦ୍ୱେ ଅରଣୀ କୃତ୍ୱା ଉର୍ୱଶୀଲୋକକାମ୍ୟଯା ॥ ୪୪॥

ଉର୍ୱଶୀଂ ମନ୍ତ୍ରତୋ ଧ୍ୟାୟନ୍ନଧରାରଣିମୁତ୍ତରାମ୍ ।

ଆତ୍ମାନମୁଭୟୋର୍ମଧ୍ୟେ ଯତ୍ତତ୍ପ୍ରବ୍ରଜନଂ ପ୍ରଭୁଃ ॥ ୪୫॥

ତଦନନ୍ତର ସେ ସେହି ସ୍ଥାନକୁ ଗଲେ, ଯେଉଁଠାରେ ବଣରେ ସେ ଗନ୍ଧର୍ବମାନେ ଦେଇଥିବା ଥାଳିଟିକୁ ଛାଡି ଆସିଥିଲେ | ଏବେ ସେହି ସ୍ଥାନରେ ଗୋଟିଏ ଶମୀବୃକ୍ଷର ଗର୍ଭରେ ଅଶ୍ବତ୍ଥ ଗଛଟିଏ ଉଠିଥିଲା | ସେହି ଗଛର କାଠରେ ରାଜା ଦୁଇଟି ଅରଣି (ମନ୍ଥନକାଷ୍ଠ) ପ୍ରସ୍ତୁତ କଲେ | ତାପରେ ସେ ଉର୍ବଶୀଲୋକର କାମନାରେ ନିମ୍ନରେ ଥିବା ଅରଣିରେ ଉର୍ବଶୀ, ଉପର ଅରଣିରେ ପୁରୂରବା ଏବଂ ମଝିରେ ଥିବା କାଠରେ ପୁତ୍ରର ଚିନ୍ତନ କରି ଅଗ୍ନି ପ୍ରଜ୍ବଳନକାରୀ ମନ୍ତ୍ରରେ ତାହାକୁ ମନ୍ଥନ କଲେ |

ତସ୍ୟ ନିର୍ମନ୍ଥନାଜ୍ଜାତୋ ଜାତବେଦା ବିଭାବସୁଃ ।

ତ୍ରୟ୍ୟା ସ ବିଦ୍ୟଯା ରାଜ୍ଞା ପୁତ୍ରତ୍ୱେ କଲ୍ପିତସ୍ତ୍ରିବୃତ୍ ॥ ୪୬॥

ସେହି ମନ୍ଥନରୁ ‘ଜାତବେଦା ନାମକ ଅଗ୍ନି ପ୍ରକଟ ହେଲା | ରାଜା ପୁରୂରବା ଅଗ୍ନିଦେବତାଙ୍କୁ ତ୍ରୟୀବିଦ୍ୟା ଦ୍ବାରା ଆହବନୀୟ, ଗାର୍ହପତ୍ୟ ଏବଂ ଦକ୍ଷିଣାଗ୍ନି – ଏହି ତିନି ଭାଗରେ ବିଭକ୍ତ କରି ପୁତ୍ରରୂପରେ ସ୍ବୀକାର କରିନେଲେ |

ତେନାୟଜତ ଯଜ୍ଞେଶଂ ଭଗବନ୍ତମଧୋକ୍ଷଜମ୍ ।

ଉର୍ୱଶୀଲୋକମନ୍ୱିଚ୍ଛନ୍ ସର୍ୱଦେବମୟଂ ହରିମ୍ ॥ ୪୭॥

ତାପରେ ଉର୍ବଶୀଲୋକର ଇଚ୍ଛାରେ ପୁରୂରବା ସେହି ଅଗ୍ନିତ୍ରୟ ଦ୍ବାରା ସର୍ବଦେବସ୍ବରୂପ ଇନ୍ଦ୍ରିୟାତୀତ ଯଜ୍ଞପତି ଶ୍ରୀହରିଙ୍କର ଯଜନ କଲେ |

ଏକ ଏବ ପୁରା ବେଦଃ ପ୍ରଣବଃ ସର୍ୱବାଙ୍ମୟଃ ।

ଦେବୋ ନାରାୟଣୋ ନାନ୍ୟ ଏକୋଽଗ୍ନିର୍ୱର୍ଣ ଏବ ଚ ॥ ୪୮॥

ପରୀକ୍ଷିତ ! ତ୍ରେତାଯୁଗ ପୂର୍ବରୁ ସତ୍ୟଯୁଗରେ ଏକମାତ୍ର ପ୍ରଣବ (ଔଁକାର) ହିଁ ବେଦ ଥିଲା | ସମସ୍ତ ବେଦ-ଶାସ୍ତ୍ର ତାହାର ଅନ୍ତର୍ଭୁକ୍ତ ଥିଲେ | ଏକମାତ୍ର ଦେବତା ଥିଲେ ‘ନାରାୟଣ, ଅନ୍ୟ କୌଣସି ଦେବତା ନ ଥିଲେ | ଅଗ୍ନି ମଧ୍ୟ ତିନି ନ ହୋଇ, କେବଳ ଏକ ଥିଲା ଏବଂ ବର୍ଣ୍ଣ ମଧ୍ୟ କେବଳ ଏକ ‘ହଂସ ହିଁ ଥିଲା |

ପୁରୂରବସ ଏବାସୀତ୍ତ୍ରୟୀ ତ୍ରେତାମୁଖେ ନୃପ ।

ଅଗ୍ନିନା ପ୍ରଜୟା ରାଜା ଲୋକଂ ଗାନ୍ଧର୍ୱମେୟିବାନ୍ ॥ ୪୯॥

ପରୀକ୍ଷିତ ! ତ୍ରେତାଯୁଗର ପ୍ରାରମ୍ଭରେ ପୁରୂରବାଙ୍କଠାରୁ ବେଦତ୍ରୟୀ ଏବଂ ଅଗ୍ନିତ୍ରୟର ଆବିର୍ଭାବ ହେଲା | ରାଜା ପୁରୂରବା ଅଗ୍ନିଙ୍କୁ ପୁତ୍ର ରୂପରେ ସ୍ବୀକାର କରି ଗନ୍ଧର୍ବଲୋକ ପ୍ରାପ୍ତ କଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ନବମସ୍କନ୍ଧେ ଐଲୋପାଖ୍ୟାନେ ଚତୁର୍ଦଶୋଽଧ୍ୟାୟଃ ॥ ୧୪॥ 

Comments

Popular posts from this blog