ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ନବମ ସ୍କନ୍ଧ ॥
ଷୋଡଶ ଅଧ୍ୟାୟ
ପରଶୁରାମଙ୍କର କ୍ଷତ୍ରିୟସଂହାର ଏବଂ ବିଶ୍ବାମିତ୍ରଙ୍କ କଥା
ଶ୍ରୀଶୁକ ଉବାଚ
ପିତ୍ରୋପଶିକ୍ଷିତୋ
ରାମସ୍ତଥେତି କୁରୁନନ୍ଦନ ।
ସଂବତ୍ସରଂ
ତୀର୍ଥୟାତ୍ରାଂ ଚରିତ୍ୱାଽଽଶ୍ରମମାବ୍ରଜତ୍ ॥ ୧॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ନିଜ ପିତାଙ୍କର ଏହି ଶିକ୍ଷାକୁ ପରଶୁରାମ ‘ଯଥା ଆଜ୍ଞା’ କହି ସ୍ବୀକାର
କଲେ ଏବଂ ଏକ ବର୍ଷ ତୀର୍ଥଯାତ୍ରା କରି ଆଶ୍ରମକୁ ଫେରି ଆସିଲେ |
କଦାଚିଦ୍ରେଣୁକା
ଯାତା ଗଙ୍ଗାୟାଂ ପଦ୍ମମାଲିନମ୍ ।
ଗନ୍ଧର୍ୱରାଜଂ
କ୍ରୀଡନ୍ତମପ୍ସରୋଭିରପଶ୍ୟତ ॥ ୨॥
ଦିନକର କଥା, ପରଶୁରାମଙ୍କର ମାତା ରେଣୁକା ଗଙ୍ଗାତଟକୁ ଯାଇଥିଲେ |
ସେଠାରେ ସେ ଦେଖିବାକୁ ପାଇଲେ ଯେ ଗନ୍ଧର୍ବରାଜ ଚିତ୍ରରଥ କମଳ-ମାଳା ପରିଧାନ କରି ଅପସରାମାନଙ୍କ
ସହିତ ବିହାର କରୁଛନ୍ତି |
ବିଲୋକୟନ୍ତୀ
କ୍ରୀଡନ୍ତମୁଦକାର୍ଥଂ ନଦୀଂ ଗତା ।
ହୋମବେଲାଂ ନ
ସସ୍ମାର କିଞ୍ଚିଚ୍ଚିତ୍ରରଥସ୍ପୃହା ॥ ୩॥
ସେ ଜଳ ଆଣିବାକୁ
ନଦୀତଟକୁ ଯାଇଥିଲେ, କିନ୍ତୁ ସେଠାରେ ଜଳକ୍ରୀଡା
କରୁଥିବା ଗନ୍ଧର୍ବରାଜ ଚିତ୍ରରଥଙ୍କୁ ଦେଖି ତାଙ୍କ ପ୍ରତି କିଛି ମାତ୍ରାରେ ଆକର୍ଷିତ ହୋଇଗଲେ |
ସେ ଏହା ଭୁଲିଗଲେ ଯେ ତାଙ୍କ ପତିଦେବଙ୍କର ହବନ କରିବାର ସମୟ ଅତିକ୍ରାନ୍ତ ହୋଇଯାଉଛି |
କାଲାତ୍ୟଯଂ ତଂ
ବିଲୋକ୍ୟ ମୁନେଃ ଶାପବିଶଙ୍କିତା ।
ଆଗତ୍ୟ କଲଶଂ ତସ୍ଥୌ
ପୁରୋଧାୟ କୃତାଞ୍ଜଲିଃ ॥ ୪॥
ହବନ ସମୟ
ଅତିକ୍ରାନ୍ତ ହୋଇ ଯାଉଥିବା ଜାଣି ସେ ମହର୍ଷି ଜମଦଗ୍ନିଙ୍କ ଶାପ ଆଶଙ୍କାରେ ଭୟଭୀତ ହୋଇଗଲେ ଏବଂ
ଅତିଶୀଘ୍ର ସେଠାରୁ ଆଶ୍ରମକୁ ଚାଲି ଆସିଲେ | ମହର୍ଷିଙ୍କ ସମ୍ମୁଖରେ ଜଳକଳସ ରଖି ସେ ହାତ ଯୋଡି
ଦୋଷୀ ଭାବରେ ଠିଆ ହୋଇ ରହିଲେ |
ବ୍ୟଭିଚାରଂ
ମୁନିର୍ଜ୍ଞାତ୍ୱା ପତ୍ନ୍ୟାଃ ପ୍ରକୁପିତୋଽବ୍ରବୀତ୍ ।
ଘ୍ନତୈନାଂ
ପୁତ୍ରକାଃ ପାପାମିତ୍ୟୁକ୍ତାସ୍ତେ ନ ଚକ୍ରିରେ ॥ ୫॥
ନିଜ ପତ୍ନୀଙ୍କର
ମାନସିକ ବ୍ୟଭିଚାର ବିଷୟରେ ଜାଣି ଜମଦଗ୍ନି ମୁନି ଅତିଶୟ କ୍ରୋଧରେ କହିଲେ – ପୁତ୍ରଗଣ ! ଏହି
ପାପିନୀକୁ ମାରି ଦିଅ | କିନ୍ତୁ କୌଣସି ପୁତ୍ର ତାଙ୍କର ସେହି ଆଜ୍ଞାକୁ ସ୍ବୀକାର କଲେନାହିଁ |
ରାମଃ ସଞ୍ଚୋଦିତଃ
ପିତ୍ରା ଭ୍ରାତୄନ୍ ମାତ୍ରା ସହାବଧୀତ୍ ।
ପ୍ରଭାବଜ୍ଞୋ ମୁନେଃ
ସମ୍ୟକ୍ ସମାଧେସ୍ତପସଶ୍ଚ ସଃ ॥ ୬॥
ଏହା ପରେ ପିତାଙ୍କର
ଆଜ୍ଞା ପାଳନ କରିବାକୁ ଯାଇ ପରଶୁରାମ ନିଜ ମାତାଙ୍କ ସହିତ ଭାଈମାନଙ୍କୁ ମଧ୍ୟ ମାରିଦେଲେ; କାରଣ
ସେ ନିଜ ପିତାଙ୍କର ଯୋଗ ଏବଂ ତପସ୍ୟାର ପ୍ରଭାବ ବିଷୟରେ ନିଶ୍ଚିନ୍ତ ଥିଲେ |
ବରେଣ ଛନ୍ଦୟାମାସ
ପ୍ରୀତଃ ସତ୍ୟବତୀସୁତଃ ।
ବବ୍ରେ ହତାନାଂ
ରାମୋଽପି ଜୀବିତଂ ଚାସ୍ମୃତିଂ ବଧେ ॥ ୭॥
ପରଶୁରାମଙ୍କର
ଆଜ୍ଞାଧୀନତାରେ ଅତି ବେଶୀ ପ୍ରସନ୍ନ ହୋଇ ସତ୍ୟବତୀନନ୍ଦନ ମହର୍ଷି ଜମଦଗ୍ନି ଯେତେବେଳେ ତାଙ୍କୁ
ବର ମାଗିବାକୁ କହିଲେ, ସେତେବେଳେ ପରଶୁରାମ ତାଙ୍କୁ ଏହି ବର ମାଗିଥିଲେ ଯେ ମୋର ମାତା ଏବଂ
ଭାଈମାନେ ଜୀବିତ ହୋଇଯାଆନ୍ତୁ ଏବଂ ମୁଁ ସେମାନଙ୍କୁ ମାରିଥିଲି – ଏହା ତାଙ୍କର ସ୍ମରଣ ନ ରହୁ |
ଉତ୍ତସ୍ଥୁସ୍ତେ
କୁଶଲିନୋ ନିଦ୍ରାପାୟ ଇବାଞ୍ଜସା ।
ପିତୁର୍ୱିଦ୍ୱାଂସ୍ତପୋବୀର୍ୟଂ
ରାମଶ୍ଚକ୍ରେ ସୁହୃଦ୍ୱଧମ୍ ॥ ୮॥
ପରଶୁରାମ ଏପରି ବର
ଯାଚନା କରିବା ମାତ୍ରେ ନିଦ୍ରାରୁ ଜାଗ୍ରତ ହେବା ପରି ସମସ୍ତେ ସକୁଶଳ ସେଠାରେ ଉଠି ବସିଲେ |
ବାସ୍ତବରେ ନିଜ ପିତାଙ୍କର ତପୋବଳ ବିଷୟରେ ଜାଣିଥିବାରୁ ହିଁ ପରଶୁରାମ ତାଙ୍କ ସୁହୃଦମାନଙ୍କର ବଧ
କରିଥିଲେ |
ଯେଽର୍ଜୁନସ୍ୟ ସୁତା
ରାଜନ୍ ସ୍ମରନ୍ତଃ ସ୍ୱପିତୁର୍ୱଧମ୍ ।
ରାମବୀର୍ୟପରାଭୂତା
ଲେଭିରେ ଶର୍ମ ନ କ୍ୱଚିତ୍ ॥ ୯॥
ପରୀକ୍ଷିତ !
ସହସ୍ରବାହୁ ଅର୍ଜୁନଙ୍କର ଯେଉଁ ପୁତ୍ରମାନେ ପରଶୁରାମଙ୍କ ଦ୍ବାରା ପରାଜିତ ହୋଇ ପଳାୟନ କରିଥିଲେ, ସେମାନେ ନିରନ୍ତର ନିଜ ପିତୃ-ବଧର ସ୍ମରଣରେ ଅଶାନ୍ତ
ରହୁଥିଲେ |
ଏକଦାଽଽଶ୍ରମତୋ
ରାମେ ସଭ୍ରାତରି ବନଂ ଗତେ ।
ବୈରଂ ସିସାଧୟିଷବୋ
ଲବ୍ଧଚ୍ଛିଦ୍ରା ଉପାଗମନ୍ ॥ ୧୦॥
ଦିନେ ପରଶୁରାମ ନିଜ
ଭାଈମାନଙ୍କ ସହିତ ବଣକୁ ଯାଇଥିବା ସମୟରେ ପ୍ରତିଶୋଧ ନେବା ଇଚ୍ଛାରେ ସହସ୍ରବାହୁଙ୍କର ପୁତ୍ରମାନେ
ଆଶ୍ରମରେ ଆସି ପହଞ୍ଚିଲେ |
ଦୃଷ୍ଟ୍ୱାଗ୍ନ୍ୟଗାର
ଆସୀନମାବେଶିତଧିୟଂ ମୁନିମ୍ ।
ଭଗବତ୍ୟୁତ୍ତମଶ୍ଲୋକେ
ଜଘ୍ନୁସ୍ତେ ପାପନିଶ୍ଚୟାଃ ॥ ୧୧॥
ସେହି ସମୟରେ
ମହର୍ଷି ଜମଦଗ୍ନି ଅଗ୍ନିଶାଳାରେ ବସି ନିଜର ସମସ୍ତ ବୃତ୍ତିରେ ପବିତ୍ରକୀର୍ତ୍ତି ଭଗବାନଙ୍କର
ଚିନ୍ତନରେ ମଗ୍ନ ଥିଲେ | ବାହ୍ୟ ବିଷୟ ପ୍ରତି ସେ ସମ୍ପୂର୍ଣ୍ଣ ଉଦାସୀନ ଥିଲେ | ସେହି ଅବସ୍ଥାରେ
ସେହି ପାପୀମାନେ ଜମଦଗ୍ନି ଋଷିଙ୍କୁ ମାରିଦେଲେ |
ଯାଚ୍ୟମାନାଃ
କୃପଣୟା ରାମମାତ୍ରାତିଦାରୁଣାଃ ।
ପ୍ରସହ୍ୟ ଶିର
ଉତ୍କୃତ୍ୟ ନିନ୍ୟୁସ୍ତେ କ୍ଷତ୍ରବନ୍ଧବଃ ॥ ୧୨॥
ପରଶୁରାମଙ୍କର ମାତା
ଅତ୍ୟନ୍ତ ଦୀନ ଭାବରେ ସେମାନଙ୍କୁ ପ୍ରାର୍ଥନା କରୁଥିଲେ, କିନ୍ତୁ ସେମାନେ
ସେଥିପ୍ରତି କର୍ଣ୍ଣପାତ ନ କରି ବଳପୂର୍ବକ ମହର୍ଷି ଜମଦଗ୍ନିଙ୍କର ମସ୍ତକ ଛେଦନ କରି ନେଇଗଲେ |
ପରୀକ୍ଷିତ ! ସେମାନେ ବାସ୍ତବରେ ଅତ୍ୟନ୍ତ କ୍ରୂର ଥିଲେ |
ରେଣୁକା
ଦୁଃଖଶୋକାର୍ତା ନିଘ୍ନନ୍ତ୍ୟାତ୍ମାନମାତ୍ମନା ।
ରାମ ରାମେତି
ତାତେତି ବିଚୁକ୍ରୋଶୋଚ୍ଚକୈଃ ସତୀ ॥ ୧୩॥
ସତୀ ରେଣୁକା ଦୁଃଖ
ଏବଂ ଶୋକରେ ଆତୁର ହୋଇ ନିଜ ହାତରେ ଛାତି ଏବଂ ମୁଣ୍ଡ ପିଟି ଜୋର-ଜୋରରେ କ୍ରନ୍ଦନ କରି ଡାକିବାରେ
ଲାଗିଥାଆନ୍ତି – ପରଶୁରାମ ! ପୁତ୍ର ପରଶୁରାମ ! ଶୀଘ୍ର ଆସ |
ତଦୁପଶ୍ରୁତ୍ୟ
ଦୂରସ୍ଥୋ ହା ରାମେତ୍ୟାର୍ତବତ୍ସ୍ୱନମ୍ ।
ତ୍ୱରୟାଽଽଶ୍ରମମାସାଦ୍ୟ
ଦଦୃଶେ ପିତରଂ ହତମ୍ ॥ ୧୪॥
ବହୁ ଦୂରରେ ଥାଇ
ମଧ୍ୟ ମାତାଙ୍କର ‘ହା ରାମ !’ – ଏହି କରୁଣ କ୍ରନ୍ଦନ ଶୁଣି ପରଶୁରାମ ଅତିଶୀଘ୍ର ଆଶ୍ରମକୁ ଧାଇଁ
ଆସିଲେ ଏବଂ ସେଠାରେ ଆସି ଦେଖିଲେ ଯେ କେହି ଦୁର୍ବୃତ୍ତ ତାଙ୍କ ପିତାଙ୍କର ହତ୍ୟା କରିଛି |
ତଦ୍ଦୁଃଖରୋଷାମର୍ଷାର୍ତିଶୋକବେଗବିମୋହିତଃ
।
ହା ତାତ ସାଧୋ
ଧର୍ମିଷ୍ଠ ତ୍ୟକ୍ତ୍ୱାସ୍ମାନ୍ ସ୍ୱର୍ଗତୋ ଭବାନ୍ ॥ ୧୫॥
ପରୀକ୍ଷିତ ! ତାହା
ଦେଖି ପରଶୁରାମଙ୍କର ଦୁଃଖର ସୀମା ରହିଲା ନାହିଁ | କ୍ରୋଧ, ଅସହିଷ୍ଣୁତା,
ମାନସିକ ପୀଡା ଏବଂ ଶୋକର ବେଗରେ ଅତ୍ୟନ୍ତ ମୋହିତ ହୋଇ ସେ କହିବାରେ ଲାଗଲେ – ହାୟ ପିତାଶ୍ରୀ !
ଆପଣ ତ ବହୁତ ବଡ ମହାତ୍ମା ଥିଲେ, ଧର୍ମର ପୂଜାରୀ
ଥିଲେ | ଆପଣ ଆମ୍ଭମାନଙ୍କୁ ଛାଡି କାହିଁକି ସ୍ବର୍ଗକୁ ଚାଲିଗଲେ ?
ବିଲପ୍ୟୈବଂ
ପିତୁର୍ଦେହଂ ନିଧାୟ ଭ୍ରାତୃଷୁ ସ୍ୱୟମ୍ ।
ପ୍ରଗୃହ୍ୟ ପରଶୁଂ
ରାମଃ କ୍ଷତ୍ରାନ୍ତାୟ ମନୋ ଦଧେ ॥ ୧୬॥
ଏପରି ବିଳାପ କରି
କରି ସେ ପିତାଙ୍କର ମରଶରୀରକୁ ଭାଈମାନଙ୍କ ଦାୟିତ୍ବରେ ଦେଇ ସ୍ବୟଂ କ୍ଷତ୍ରିୟ-ସଂହାରର ନିଶ୍ଚୟରେ
ହାତରେ ଫାର୍ସା ଉଠାଇ ବାହାରି ଗଲେ |
ଗତ୍ୱା ମାହିଷ୍ମତୀଂ
ରାମୋ ବ୍ରହ୍ମଘ୍ନବିହତଶ୍ରିୟମ୍ ।
ତେଷାଂ ସ ଶୀର୍ଷଭୀ
ରାଜନ୍ ମଧ୍ୟେ ଚକ୍ରେ ମହାଗିରିମ୍ ॥ ୧୭॥
ପରୀକ୍ଷିତ !
ମହିଷ୍ମତୀ ନଗରୀକୁ ଯାଇ ଭଗବାନ ପରଶୁରାମ ସହସ୍ରବାହୁ ଅର୍ଜୁନଙ୍କ ପୁତ୍ରମାନଙ୍କର ମସ୍ତକରେ ନଗର
ମଝିରେ ଏକ ବହୁତ ବଡ ପର୍ବତ ଠିଆ କରିଦେଲେ | ନଗରର ଶୋଭା ତ ବହୁ ପୂର୍ବରୁ ବ୍ରହ୍ମଘାତୀ ନୀଚ
କ୍ଷତ୍ରିୟମାନଙ୍କ କାରଣରୁ ନଷ୍ଟ ହୋଇ ଯାଇଥିଲା |
ତଦ୍ରକ୍ତେନ ନଦୀଂ
ଘୋରାମବ୍ରହ୍ମଣ୍ୟଭୟାବହାମ୍ ।
ହେତୁଂ କୃତ୍ୱା
ପିତୃବଧଂ କ୍ଷତ୍ରେଽମଙ୍ଗଲକାରିଣି ॥ ୧୮॥
ତ୍ରିଃସପ୍ତକୃତ୍ୱଃ
ପୃଥିବୀଂ କୃତ୍ୱା ନିଃକ୍ଷତ୍ରିୟାଂ ପ୍ରଭୁଃ ।
ସମନ୍ତପଞ୍ଚକେ
ଚକ୍ରେ ଶୋଣିତୋଦାନ୍ ହ୍ରଦାନ୍ ନୃପ ॥ ୧୯॥
ଏବେ ସେମାନଙ୍କ
ରକ୍ତରେ ଏକ ଭୟଙ୍କର ନଦୀ ସୃଷ୍ଟି ହେଲା ଯାହାକୁ ଦେଖି ବ୍ରାହ୍ମଣଦ୍ରୋହୀମାନଙ୍କର ହୃଦୟ ଭୟରେ
ଥରି ଉଠିଲା | ଭଗବାନ ଦେଖିଲେ କ୍ଷତ୍ରିୟମାନେ ବର୍ତ୍ତମାନ ପ୍ରବଳ
ଅତ୍ୟାଚାରୀ ହୋଇ ଯାଇଛନ୍ତି | ସେଥିପାଇଁ ପିତାଙ୍କର ବଧକୁ ନିମିତ୍ତ କରି ସେ ଏକୋଇଶ
ଥର ପୃଥୁବୀକୁ କ୍ଷତ୍ରିୟହୀନ କଲେ ଏବଂ କୁରୁକ୍ଷେତ୍ରର ସମନ୍ତପଞ୍ଚକଠାରେ ଏପରି ପାଞ୍ଚଟି
ପୁଷ୍କରିଣୀ ନିର୍ମାଣ କଲେ, ଯାହା ରକ୍ତ ପରିପୂର୍ଣ୍ଣ ଥିଲା |
ପିତୁଃ କାୟେନ
ସନ୍ଧାୟ ଶିର ଆଦାୟ ବର୍ହିଷି ।
ସର୍ୱଦେବମୟଂ
ଦେବମାତ୍ମାନମୟଜନ୍ମଖୈଃ ॥ ୨୦॥
ପରଶୁରାମ ନିଜ
ପିତାଙ୍କର ମସ୍ତକକୁ ଆଣି ତାଙ୍କ ଶରୀରରେ ଯୋଡି ଦେଲେ ଏବଂ ଯଜ୍ଞ ଦ୍ବାରା ସର୍ବଦେବମୟ
ଆତ୍ମସ୍ବରୂପ ଭଗବାନଙ୍କର ଯଜନ କଲେ |
ଦଦୌ ପ୍ରାଚୀଂ ଦିଶଂ
ହୋତ୍ରେ ବ୍ରହ୍ମଣେ ଦକ୍ଷିଣାଂ ଦିଶମ୍ ।
ଅଧ୍ୱର୍ୟବେ
ପ୍ରତୀଚୀଂ ବୈ ଉଦ୍ଗାତ୍ରେ ଉତ୍ତରାଂ ଦିଶମ୍ ॥ ୨୧॥
ଯଜ୍ଞରେ ସେ ପୂର୍ବ
ଦିଗ ହୋତାଙ୍କୁ, ଦକ୍ଷିଣ ଦିଗ ବ୍ରହ୍ମାଙ୍କୁ, ପଶ୍ଚିମ ଦିଗ ଅଧ୍ବର୍ୟୁଙ୍କୁ ଏବଂ ଉତ୍ତର ଦିଗ
ସାମଗାନ କରୁଥିବା ଉଦଗାତାମାନଙ୍କୁ ପ୍ରଦାନ କଲେ |
ଅନ୍ୟେଭ୍ୟୋଽବାନ୍ତରଦିଶଃ
କଶ୍ୟପାୟ ଚ ମଧ୍ୟତଃ ।
ଆର୍ୟାବର୍ତମୁପଦ୍ରଷ୍ଟ୍ରେ
ସଦସ୍ୟେଭ୍ୟସ୍ତତଃ ପରମ୍ ॥ ୨୨॥
ସେହିପରି ଅଗ୍ନିକୋଣ
ଆଦି ବିଦିଗ ଋତ୍ବିଜମାନଙ୍କୁ, ମଧ୍ୟଭୂମି କଶ୍ୟପଙ୍କୁ, ଆର୍ଯ୍ୟାବର୍ତ୍ତ ଉପଦ୍ରଷ୍ଟାଙ୍କୁ ଏବଂ
ଅନ୍ୟାନ୍ୟ ଦିଗ ସଦସ୍ୟମାନଙ୍କୁ ପ୍ରଦାନ କଲେ |
ତତଶ୍ଚାବଭୃଥସ୍ନାନବିଧୂତାଶେଷକିଲ୍ବିଷଃ
।
ସରସ୍ୱତ୍ୟାଂ
ବ୍ରହ୍ମନଦ୍ୟାଂ ରେଜେ ବ୍ୟବ୍ଭ୍ର ଇବାଂଶୁମାନ୍ ॥ ୨୩॥
ତଦନନ୍ତର
ଯଜ୍ଞାନ୍ତ-ସ୍ନାନ କରି ସେ ସମସ୍ତ ପାପରୁ ମୁକ୍ତ ହୋଇଗଲେ ଏବଂ ବ୍ରହ୍ମନଦୀ ସରସ୍ବତୀର ତଟଦେଶରେ
ମେଘରହିତ ସୂର୍ଯ୍ୟଙ୍କ ପରି ଶୋଭାୟମାନ ହେଲେ |
ସ୍ୱଦେହଂ
ଜମଦଗ୍ନିସ୍ତୁ ଲବ୍ଧ୍ୱା ସଞ୍ଜ୍ଞାନଲକ୍ଷଣମ୍ ।
ଋଷୀଣାଂ ମଣ୍ଡଲେ
ସୋଽଭୂତ୍ସପ୍ତମୋ ରାମପୂଜିତଃ ॥ ୨୪॥
ମହର୍ଷି ଜମଦଗ୍ନି
ସ୍ମୃତିରୂପ ସଂକଳ୍ପମୟ ଶରୀର ପ୍ରାପ୍ତ କଲେ | ପରଶୁରାମଙ୍କ ଦ୍ବାରା ସମ୍ମାନିତ ହୋଇ ସେ
ସପ୍ତର୍ଷିମଣ୍ଡଳରେ ସପ୍ତମ ଋଷି ପଦରେ ଅଧିଷ୍ଠିତ ହେଲେ |
ଜାମଦଗ୍ନ୍ୟୋଽପି
ଭଗବାନ୍ ରାମଃ କମଲଲୋଚନଃ ।
ଆଗାମିନ୍ୟନ୍ତରେ
ରାଜନ୍ ବର୍ତୟିଷ୍ୟତି ବୈ ବୃହତ୍ ॥ ୨୫॥
ପରୀକ୍ଷିତ ! ଆଗାମୀ
ମନ୍ବନ୍ତରରେ କମଳଲୋଚନ ଜମଦଗ୍ନି-ନନ୍ଦନ ଭଗବାନ ପରଶୁରାମ ସପ୍ତର୍ଷିମଣ୍ଡଳରେ ରହି ବେଦର ବିସ୍ତାର
କରିବେ |
ଆସ୍ତେଽଦ୍ୟାପି
ମହେନ୍ଦ୍ରାଦ୍ରୌ ନ୍ୟସ୍ତଦଣ୍ଡଃ ପ୍ରଶାନ୍ତଧୀଃ ।
ଉପଗୀୟମାନଚରିତଃ
ସିଦ୍ଧଗନ୍ଧର୍ୱଚାରଣୈଃ ॥ ୨୬॥
ଆଜି ମଧ୍ୟ ସେ
କାହାକୁ କୌଣସି ପ୍ରକାରର ଦଣ୍ଡ ନ ଦେଇ ଶାନ୍ତ ଚିତ୍ତରେ ମହେନ୍ଦ୍ର ପର୍ବତରେ ନିବାସ କରୁଛନ୍ତି |
ସେଠାରେ ସିଦ୍ଧ, ଗନ୍ଧର୍ବ ଏବଂ ଚାରଣମାନେ
ମଧୁର ସ୍ବରରେ ତାଙ୍କ ଚରିତ୍ରର ଗାନ କରୁଛନ୍ତି |
ଏବଂ ଭୃଗୁଷୁ
ବିଶ୍ୱାତ୍ମା ଭଗବାନ୍ ହରିରୀଶ୍ୱରଃ ।
ଅବତୀର୍ୟ ପରଂ ଭାରଂ
ଭୁବୋଽହନ୍ ବହୁଶୋ ନୃପାନ୍ ॥ ୨୭॥
ଏହିପରି ଭାବରେ
ସର୍ବଶକ୍ତିମାନ ବିଶ୍ବାତ୍ମା ଭଗବାନ ଶ୍ରୀହରି ଭୃଗୁବଂଶରେ ଅବତାର ଗ୍ରହଣ କରି ଅନେକ ବାର
ପୃଥିବୀର ଭାରରୂପ ରାଜାମାନଙ୍କର ବଧ କରିଥିଲେ |
ଗାଧେରଭୂନ୍ମହାତେଜାଃ
ସମିଦ୍ଧ ଇବ ପାବକଃ ।
ତପସା
କ୍ଷାତ୍ରମୁତ୍ସୃଜ୍ୟ ଯୋ ଲେଭେ ବ୍ରହ୍ମବର୍ଚସମ୍ ॥ ୨୮॥
ପ୍ରଜ୍ବଳିତ ଅଗ୍ନି
ସଦୃଶ ପରମ ତେଜସ୍ବୀ ବିଶ୍ବାମିତ୍ର ମୁନି ମହାରାଜ ଗାଧିଙ୍କର ପୁତ୍ର ଥିଲେ | ସେ ନିଜ ତପୋବଳରେ
କ୍ଷତ୍ରିୟତ୍ବ ତ୍ୟାଗ କରି ବ୍ରହ୍ମତେଜ ପ୍ରାପ୍ତ କରି ନେଇଥିଲେ |
ବିଶ୍ୱାମିତ୍ରସ୍ୟ
ଚୈବାସନ୍ ପୁତ୍ରା ଏକଶତଂ ନୃପ ।
ମଧ୍ୟମସ୍ତୁ
ମଧୁଚ୍ଛନ୍ଦା ମଧୁଚ୍ଛନ୍ଦସ ଏବ ତେ ॥ ୨୯॥
ପରୀକ୍ଷିତ !
ବିଶ୍ବାମିତ୍ରଙ୍କର ଏକ ଶହ ପୁତ୍ର ଥିଲେ | ସେମାନଙ୍କ ମଧ୍ୟରୁ ମଧ୍ୟମ ପୁତ୍ରର ନାମ ଥିଲା
ମଧୁଚ୍ଛନ୍ଦା ଏବଂ ସେହି ନାମରେ ତାଙ୍କର ଅନ୍ୟ ପୁତ୍ରମାନେ ମଧ୍ୟ ବିଖ୍ୟାତ ଥିଲେ |
ପୁତ୍ରଂ କୃତ୍ୱା
ଶୁନଃଶେପଂ ଦେବରାତଂ ଚ ଭାର୍ଗବମ୍ ।
ଆଜୀଗର୍ତଂ ସୁତାନାହ
ଜ୍ୟେଷ୍ଠ ଏଷ ପ୍ରକଲ୍ପ୍ୟତାମ୍ ॥ ୩୦॥
ବିଶ୍ବାମିତ୍ର ନିଜ
ଭଣଜା ଭୃଗୁବଂଶୀ ଅଜୀଗର୍ତଙ୍କର ପୁତ୍ର ଶୁନଃଶେପଙ୍କୁ, ଯାହାର ନାମ ଦେବରାତ ମଧ୍ୟ ଥିଲା, ପୁତ୍ରରୂପରେ ସ୍ବୀକାର କରିଥିଲେ ଏବଂ ନିଜ
ପୁତ୍ରମାନଙ୍କୁ କହିଥିଲେ, ‘ତୁମ୍ଭେମାନେ
ଏହାକୁ ନିଜ ବଡ ଭାଈର ମାନ୍ୟତା ଦିଅ |’
ଯୋ ବୈ
ହରିଶ୍ଚନ୍ଦ୍ରମଖେ ବିକ୍ରୀତଃ ପୁରୁଷଃ ପଶୁଃ ।
ସ୍ତୁତ୍ୱା ଦେବାନ୍
ପ୍ରଜେଶାଦୀନ୍ ମୁମୁଚେ ପାଶବନ୍ଧନାତ୍ ॥ ୩୧॥
ଯୋ ରାତୋ ଦେବୟଜନେ
ଦେବୈର୍ଗାଧିଷୁ ତାପସଃ ।
ଦେବରାତ ଇତି
ଖ୍ୟାତଃ ଶୁନଃଶେପଃ ସ ଭାର୍ଗବଃ ॥ ୩୨॥
ଇଏ ସେହି ପ୍ରସିଦ୍ଧ
ଭୃଗୁବଂଶୀ ଶୁନଃଶେପ ଥିଲା, ଯିଏ ହରିଶ୍ଚନ୍ଦ୍ରଙ୍କର ଯଜ୍ଞ ନିମନ୍ତେ ଯଜ୍ଞପଶୁ
ଭାବରେ କିଣା ହୋଇ ଆସିଥିଲା | ପ୍ରଜାପତି ବରୁଣ ଆଦି ଦେବତାମାନଙ୍କର ସ୍ତୁତି କରି ବିଶ୍ବାମିତ୍ର
ତାହାକୁ ପାଶବନ୍ଧନରୁ ମୁକ୍ତ କରି ନେଇଥିଲେ | ଦେବତାମାନଙ୍କର ଯଜ୍ଞରେ ଏହି ଶୁନଃଶେପ
ଦେବତାମାନଙ୍କ ଦ୍ବାରା ଦାନ ରୂପରେ ବିଶ୍ବାମିତ୍ରଙ୍କୁ ମିଳିଥିଲା | ଅତଏବ ‘ଦେବୈଃ ରାତ’ ବ୍ୟୁତ୍ପତ୍ତି ଅନୁସାରେ ସେ ଗାଧିବଂଶରେ ତପସ୍ବୀ
ଦେବରାତ ନାମରେ ବିଖ୍ୟାତ ହେଲା |
ଯେ ମଧୁଚ୍ଛନ୍ଦସୋ
ଜ୍ୟେଷ୍ଠାଃ କୁଶଲଂ ମେନିରେ ନ ତତ୍ ।
ଅଶପତ୍ତାନ୍ ମୁନିଃ
କ୍ରୁଦ୍ଧୋ ମ୍ଲେଚ୍ଛା ଭବତ ଦୁର୍ଜନାଃ ॥ ୩୩॥
ବିଶ୍ବାମିତ୍ରଙ୍କର
ପୁତ୍ରମାନଙ୍କ ମଧ୍ୟରେ ଯେଉଁମାନେ ବଡ ଥିଲେ, ସେମାନେ
ଶୁନଃଶେପକୁ ବଡ ଭାଈ ମାନିବାକୁ ଅନିଚ୍ଛା ପ୍ରକାଶ କଲେ | ସେଥିରେ କ୍ରୋଧିତ ହୋଇ ବିଶ୍ବାମିତ୍ର
ସେମାନଙ୍କୁ ଅଭିଶାପ ଦେଲେ, ‘ଯାଅ, ତୁମ୍ଭେମାନେ ମ୍ଲେଚ୍ଛ ହୋଇଯାଅ |’
ସ ହୋବାଚ
ମଧୁଚ୍ଛନ୍ଦାଃ ସାର୍ଧଂ ପଞ୍ଚାଶତା ତତଃ ।
ଯନ୍ନୋ ଭବାନ୍
ସଞ୍ଜାନୀତେ ତସ୍ମିଂସ୍ତିଷ୍ଠାମହେ ବୟମ୍ ॥ ୩୪॥
ଏହିପରି ଭାବରେ
ଅଣଚାଶ ଭାଈ ମ୍ଲେଚ୍ଛ ହୋଇଯିବା ଦେଖି ବିଶ୍ବାମିତ୍ରଙ୍କର ମଧ୍ୟମ ପୁତ୍ର ମଧୁଚ୍ଛନ୍ଦା ନିଜଠାରୁ
ସାନ ଅନ୍ୟ ପଚାଶ ଭାଈଙ୍କ ସହିତ କହିଲା – ପିତାଶ୍ରୀ ! ଆପଣ ଆମ୍ଭମାନଙ୍କୁ ଯେପରି ଆଜ୍ଞା ଦେବେ, ଆମେ ତାହା ମାନିବାକୁ ପ୍ରସ୍ତୁତ |
ଜ୍ୟେଷ୍ଠଂ
ମନ୍ତ୍ରଦୃଶଂ ଚକ୍ରୁସ୍ତ୍ୱାମନ୍ୱଞ୍ଚୋ ବୟଂ ସ୍ମ ହି ।
ବିଶ୍ୱାମିତ୍ରଃ
ସୁତାନାହ ବୀରବନ୍ତୋ ଭବିଷ୍ୟଥ ।
ଯେ ମାନଂ
ମେଽନୁଗୃହ୍ଣନ୍ତୋ ବୀରବନ୍ତମକର୍ତ ମାମ୍ ॥ ୩୫॥
ଏପରି କହି ସେମାନେ
ମନ୍ତ୍ରଦ୍ରଷ୍ଟା ଶୁନଃଶେପଙ୍କୁ ନିଜର ଜ୍ୟେଷ୍ଠ ଭ୍ରାତା ରୂପରେ ସ୍ବୀକାର କରି କହିଲେ – ଆମେ
ସମସ୍ତେ ତୁମର ଅନୁଯାୟୀ ସାନ ଭାଈ ଅଟୁ | ଏଥିରେ ପ୍ରସନ୍ନ ହୋଇ ବିଶ୍ବାମିତ୍ର ନିଜର ଆଜ୍ଞାକାରୀ
ପୁତ୍ରମାନଙ୍କ ଉଦ୍ଦେଶ୍ୟରେ କହିଲେ – ତୁମ୍ଭେମାନେ ମୋର କଥା ମାନି ମୋର ସମ୍ମାନ ରକ୍ଷା କରିଛ |
ତୁମ ପରି ସୁପୁତ୍ର ପ୍ରାପ୍ତ କରି ମୁଁ ଧନ୍ୟ ହୋଇଯାଇଛି | ମୁଁ ତୁମ୍ଭମାନଙ୍କୁ ଆଶୀର୍ବାଦ ଦେଉଛି
ଯେ ତୁମ୍ଭମାନଙ୍କୁ ମଧ୍ୟ ଏହିପରି ସୁପୁତ୍ର ପ୍ରାପ୍ତ ହେଉ |
ଏଷ ବଃ କୁଶିକା
ବୀରୋ ଦେବରାତସ୍ତମନ୍ୱିତ ।
ଅନ୍ୟେ
ଚାଷ୍ଟକହାରୀତଜୟକ୍ରତୁମଦାଦୟଃ ॥ ୩୬॥
ମୋର ପ୍ରିୟ
ପୁତ୍ରଗଣ ! ଏହି ଶୁନଃଶେପ ମଧ୍ୟ ତୁମ ଗୋତ୍ରର ଅଟନ୍ତି | ତୁମ୍ଭେମାନେ ତାଙ୍କର ଆଜ୍ଞା ପାଳନ
କରିବ | ପରୀକ୍ଷିତ ! ବିଶ୍ବାମିତ୍ରଙ୍କର ଅଷ୍ଟକ, ହାରୀତ, ଜୟ, କ୍ରତୁମାନ ଆଦି
ଆହୁରି ଅନ୍ୟ ପୁତ୍ର ଥିଲେ |
ଏବଂ କୌଶିକଗୋତ୍ରଂ
ତୁ ବିଶ୍ୱାମିତ୍ରୈଃ ପୃଥଗ୍ୱିଧମ୍ ।
ପ୍ରବରାନ୍ତରମାପନ୍ନଂ
ତଦ୍ଧି ଚୈବଂ ପ୍ରକଲ୍ପିତମ୍ ॥ ୩୭॥
ଏହିରୂପେ
ବିଶ୍ବାମିତ୍ରଙ୍କର ସନ୍ତାନମାନଙ୍କୁ ନେଇ କୌଶିକଗୋତ୍ରରେ ଅନେକ ଭେଦ ସୃଷ୍ଟି ହେଲା |
ଦେବରାତଙ୍କୁ ଜ୍ୟେଷ୍ଠ ମାନୁଥିଵା କାରଣରୁ ତାଙ୍କର ପ୍ରବର ହିଁ ଭିନ୍ନ ହେଲା |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ
ନବମସ୍କନ୍ଧେ ଷୋଡଶୋଽଧ୍ୟାୟଃ ॥ ୧୬॥

Comments
Post a Comment