ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ନବମ ସ୍କନ୍ଧ ॥

ସପ୍ତଦଶ ଅଧ୍ୟାୟ

କ୍ଷତ୍ରବୃଦ୍ଧ, ରଜି ଆଦି ରାଜାଙ୍କ ବଂଶର ବର୍ଣ୍ଣନ

 

ଶ୍ରୀଶୁକ ଉବାଚ

ଯଃ ପୁରୂରବସଃ ପୁତ୍ର ଆୟୁସ୍ତସ୍ୟାଭବନ୍ ସୁତାଃ ।

ନହୁଷଃ କ୍ଷତ୍ରବୃଦ୍ଧଶ୍ଚ ରଜୀ ରମ୍ଭଶ୍ଚ ବୀର୍ୟବାନ୍ ॥ ୧॥

ଅନେନା ଇତି ରାଜେନ୍ଦ୍ର ଶୃଣୁ କ୍ଷତ୍ରବୃଧୋଽନ୍ୱୟମ୍ ।

କ୍ଷତ୍ରବୃଦ୍ଧସୁତସ୍ୟାସନ୍ ସୁହୋତ୍ରସ୍ୟାତ୍ମଜାସ୍ତ୍ରୟଃ ॥ ୨॥

କାଶ୍ୟଃ କୁଶୋ ଗୃତ୍ସମଦ ଇତି ଗୃତ୍ସମଦାଦଭୂତ୍ ।

ଶୁନକଃ ଶୌନକୋ ଯସ୍ୟ ବହ୍ୱୃଚପ୍ରବରୋ ମୁନିଃ ॥ ୩॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ରାଜେନ୍ଦ୍ର ପୁରୂରବାଙ୍କର ଗୋଟିଏ ପୁତ୍ରର ନାମ ଥିଲା ଆୟୁ | ତାଙ୍କର ନହୁଷ, କ୍ଷତ୍ରବୃଦ୍ଧ, ରଜି, ଶକ୍ତିଶାଳୀ ରମ୍ଭ ଏବଂ ଅନେନା ନାମରେ ପାଞ୍ଚ ପୁତ୍ର ଥିଲେ | ଏବେ କ୍ଷତ୍ରବୃଦ୍ଧଙ୍କର ବଂଶ ବିଷୟରେ ଶୁଣ | କ୍ଷତ୍ରବୃଦ୍ଧଙ୍କର ପୁତ୍ର ଥିଲେ ସୁହୋତ୍ର | ସୁହୋତ୍ରଙ୍କର ତିନି ପୁତ୍ର ଥିଲେ – କାଶ୍ୟ, କୁଶ ଏବଂ ଗୃତ୍ସମଦ | ଗୃତ୍ସମଦଙ୍କର ପୁତ୍ର ଥିଲେ ଶୁନକ | ଏହି ଶୁନକଙ୍କର ପୁତ୍ର ହେଲେ ଋଗ୍ବେଦୀୟ ଶ୍ରେଷ୍ଠ ମୁନିବର ଶୌନକ |

କାଶ୍ୟସ୍ୟ କାଶିସ୍ତତ୍ପୁତ୍ରୋ ରାଷ୍ଟ୍ରୋ ଦୀର୍ଘତମଃପିତା ।

ଧନ୍ୱନ୍ତରିର୍ଦୈର୍ଘତମ ଆୟୁର୍ୱେଦପ୍ରବର୍ତକଃ ॥ ୪॥

କାଶ୍ୟଙ୍କର ପୁତ୍ର କାଶି, କାଶିଙ୍କର ରାଷ୍ଟ୍ର, ରାଷ୍ଟ୍ରଙ୍କର ଦୀର୍ଘତମା ଏବଂ ଦୀର୍ଘତମାଙ୍କର ପୁତ୍ର ଧନ୍ବନ୍ତରି ଥିଲେ | ଏହି ଧନ୍ବନ୍ତରି ଆୟୁର୍ବେଦର ପ୍ରବର୍ତ୍ତକ ଅଟନ୍ତି |

ଯଜ୍ଞଭୁଗ୍ୱାସୁଦେବାଂଶଃ ସ୍ମୃତମାତ୍ରାର୍ତିନାଶନଃ ।

ତତ୍ପୁତ୍ରଃ କେତୁମାନସ୍ୟ ଜଜ୍ଞେ ଭୀମରଥସ୍ତତଃ ॥ ୫॥

ସେ ଯଜ୍ଞର ଭୋକ୍ତା ଭଗବାନ ବାସୁଦେବଙ୍କର ଅଂଶ ଅଟନ୍ତି | ତାଙ୍କର ସ୍ମରଣ ମାତ୍ରେ ସବୁ ପ୍ରକାରର ରୋଗ ଦୂର ହୋଇଯାଏ | ଧନ୍ବନ୍ତରିଙ୍କର ପୁତ୍ର କେତୁମାନ୍ ଏବଂ କେତୁମାନଙ୍କର ପୁତ୍ର ଭୀମରଥ ଥିଲେ |

ଦିବୋଦାସୋ ଦ୍ୟୁମାଂସ୍ତସ୍ମାତ୍ପ୍ରତର୍ଦନ ଇତି ସ୍ମୃତଃ ।

ସ ଏବ ଶତ୍ରୁଜିଦ୍ୱତ୍ସ ଋତଧ୍ୱଜ ଇତୀରିତଃ ।

ତଥା କୁବଲୟାଶ୍ୱେତି ପ୍ରୋକ୍ତୋଽଲର୍କାଦୟସ୍ତତଃ ॥ ୬॥

ଭୀମରଥଙ୍କର ପୁତ୍ର ଦିବୋଦାସ ଏବଂ ତାଙ୍କର ପୁତ୍ର ଦ୍ୟୁମାନ୍ ଥିଲେ, ଯାହାର ଅନ୍ୟ ଏକ ନାମ ପ୍ରତର୍ଦନ ମଧ୍ୟ ଅଟେ | ଏହି ଦ୍ୟୁମାନ୍ ଶତ୍ରୁଜିତ୍, ବତ୍ସ, ଋତଧ୍ବଜ ଏବଂ କୁବଳୟାଶ୍ବ ନାମରେ ମଧ୍ୟ ପ୍ରସିଦ୍ଧ ଅଟନ୍ତି | ଦ୍ୟୁମାନଙ୍କର ପୁତ୍ର ଅଳର୍କ ଆଦି ଥିଲେ |

ଷଷ୍ଟିବର୍ଷସହସ୍ରାଣି ଷଷ୍ଟିବର୍ଷଶତାନି ଚ ।

ନାଲର୍କାଦପରୋ ରାଜନ୍ ମେଦିନୀଂ ବୁଭୁଜେ ଯୁବା ॥ ୭॥

ପରୀକ୍ଷିତ ! ଅଳର୍କଙ୍କ ବ୍ୟତିତ ଅନ୍ୟ କୌଣସି ରାଜା ଦୀର୍ଘ ଛଅଷଠି ହଜାର ବର୍ଷ ଯୁବାବସ୍ଥାରେ ରହି ପୃଥିବୀର ରାଜ୍ୟ ଭୋଗ କରି ନ ଥିଲେ |

ଅଲର୍କାତ୍ସନ୍ତତିସ୍ତସ୍ମାତ୍ସୁନୀଥୋଽଥ ସୁକେତନଃ ।

ଧର୍ମକେତୁଃ ସୁତସ୍ତସ୍ମାତ୍ସତ୍ୟକେତୁରଜାୟତ ॥ ୮॥

ଅଳର୍କଙ୍କର ପୁତ୍ର ଥିଲେ ସନ୍ତତି, ସନ୍ତତିଙ୍କର ସୁନୀଥ, ସୁନୀଥଙ୍କର ସୁକେତନ, ସୁକେତନଙ୍କର ଧର୍ମକେତୁ ଏବଂ ଧର୍ମକେତୁଙ୍କର ପୁତ୍ର ସତ୍ୟକେତୁ |

ଧୃଷ୍ଟକେତୁଃ ସୁତସ୍ତସ୍ମାତ୍ସୁକୁମାରଃ କ୍ଷିତୀଶ୍ୱରଃ ।

ବୀତିହୋତ୍ରସ୍ୟ ଭର୍ଗୋଽତୋ ଭାର୍ଗଭୂମିରଭୂନ୍ନୃପଃ ॥ ୯॥

ସତ୍ୟକେତୁଙ୍କଠାରୁ ଧୃଷ୍ଟକେତୁ, ଧୃଷ୍ଟକେତୁଙ୍କଠାରୁ ରାଜା ସୁକୁମାର, ସୁକୁମାରଙ୍କଠାରୁ ବୀତିହୋତ୍ର, ବୀତିହୋତ୍ରଙ୍କଠାରୁ ଭର୍ଗ ଏବଂ ଭର୍ଗଙ୍କଠାରୁ ରାଜା ଭାର୍ଗଭୂମିଙ୍କର ଜନ୍ମ ହେଲା |

ଇତୀମେ କାଶୟୋ ଭୂପାଃ କ୍ଷତ୍ରବୃଦ୍ଧାନ୍ୱୟାୟିନଃ ।

ରାଭସ୍ୟ ରଭସଃ ପୁତ୍ରୋ ଗମ୍ଭୀରଶ୍ଚାକ୍ରିୟସ୍ତତଃ ॥ ୧୦॥

ଏମାନେ ସମସ୍ତେ କ୍ଷତ୍ରବୃଦ୍ଧଙ୍କର ବଂଶଜ କାଶିଙ୍କଠାରୁ ଉତ୍ପନ୍ନ ନରପତି ଥିଲେ | ରମ୍ଭଙ୍କର ପୁତ୍ର ଥିଲେ ରଭସ, ତାଙ୍କଠାରୁ ଗମ୍ଭୀର ଏବଂ ଗମ୍ଭୀରଙ୍କଠାରୁ ଅକ୍ରିୟଙ୍କର ଜନ୍ମ ହେଲା |

ତସ୍ୟ କ୍ଷେତ୍ରେ ବ୍ରହ୍ମ ଜଜ୍ଞେ ଶୃଣୁ ବଂଶମନେନସଃ ।

ଶୁଦ୍ଧସ୍ତତଃ ଶୁଚିସ୍ତସ୍ମାତ୍ତ୍ରିକକୁଦ୍ଧର୍ମସାରଥିଃ ॥ ୧୧॥

ଅକ୍ରିୟଙ୍କର ପତ୍ନୀଙ୍କଠାରୁ ବ୍ରାହ୍ମଣବଂଶ ଆଗକୁ ଚାଲିଲା | ଏବେ ଅନେନାଙ୍କର ବଂଶ ବିଷୟରେ ଶୁଣ | ଅନେନାଙ୍କର ପୁତ୍ର ଥିଲେ ଶୁଦ୍ଧ, ଶୁଦ୍ଧଙ୍କର ଶୁଚି, ଶୁଚିଙ୍କର ତ୍ରିକକୁଦ୍, ତ୍ରିକକୁଦଙ୍କର ପୁତ୍ର ଥିଲେ ଧର୍ମସାରଥି |

ତତଃ ଶାନ୍ତରୟୋ ଜଜ୍ଞେ କୃତକୃତ୍ୟଃ ସ ଆତ୍ମବାନ୍ ।

ରଜେଃ ପଞ୍ଚଶତାନ୍ୟାସନ୍ ପୁତ୍ରାଣାମମିତୌଜସାମ୍ ॥ ୧୨॥

ଧର୍ମସାରଥିଙ୍କର ପୁତ୍ର ଥିଲେ ଶାନ୍ତରୟ | ଶାନ୍ତରୟ ଆତ୍ମଜ୍ଞାନୀ ଥିବା କାରଣରୁ କୃତକୃତ୍ୟ ଥିଲେ, ତାଙ୍କର ସନ୍ତାନର ଆବଶ୍ୟକତା ନ ଥିଲା | ପରୀକ୍ଷିତ ! ଆୟୁଙ୍କ ପୁତ୍ର ରଜିଙ୍କର ଅତ୍ୟନ୍ତ ତେଜସ୍ବୀ ପାଞ୍ଚ ଶହ ପୁତ୍ର ଥିଲେ |

ଦେବୈରଭ୍ୟର୍ଥିତୋ ଦୈତ୍ୟାନ୍ ହତ୍ୱେନ୍ଦ୍ରାୟାଦଦାଦ୍ଦିବମ୍ ।

ଇନ୍ଦ୍ରସ୍ତସ୍ମୈ ପୁନର୍ଦତ୍ତ୍ୱା ଗୃହୀତ୍ୱା ଚରଣୌ ରଜେଃ ॥ ୧୩॥

ଆତ୍ମାନମର୍ପୟାମାସ ପ୍ରହ୍ଲାଦାଦ୍ୟରିଶଙ୍କିତଃ ।

ପିତର୍ୟୁପରତେ ପୁତ୍ରା ଯାଚମାନାୟ ନୋ ଦଦୁଃ ॥ ୧୪॥

ତ୍ରିବିଷ୍ଟପଂ ମହେନ୍ଦ୍ରାୟ ଯଜ୍ଞଭାଗାନ୍ ସମାଦଦୁଃ ।

ଗୁରୁଣା ହୂୟମାନେଽଗ୍ନୌ ବଲଭିତ୍ତନୟାନ୍ ରଜେଃ ॥ ୧୫॥

ଅବଧୀଦ୍ଭ୍ରଂଶିତାନ୍ ମାର୍ଗାନ୍ନ କଶ୍ଚିଦବଶେଷିତଃ ।

କୁଶାତ୍ପ୍ରତିଃ କ୍ଷାତ୍ରବୃଦ୍ଧାତ୍ସଞ୍ଜୟସ୍ତତ୍ସୁତୋ ଜୟଃ ॥ ୧୬॥

ଦେବତାମାନଙ୍କର ପ୍ରାର୍ଥନା ସ୍ବୀକାର କରି ରଜି ଦୈତ୍ୟମାନଙ୍କର ବଧ କଲେ ଏବଂ ଇନ୍ଦ୍ରଙ୍କୁ ତାଙ୍କର ସ୍ବର୍ଗ ଫେରାଇ ଦେଲେ | କିନ୍ତୁ ନିଜର ପ୍ରହ୍ଲାଦ ଆଦି ଶତ୍ରୁଙ୍କ ଭୟରେ ଭୀତତ୍ରସ୍ତ ହୋଇ ଇନ୍ଦ୍ର ରଜିଙ୍କ ହାତରେ ସ୍ବର୍ଗଭାର ଅର୍ପଣ କଲେ ଏବଂ ତାଙ୍କ ଚରଣ ତଳେ ପଡି ନିଜ ରକ୍ଷାଭାର ମଧ୍ୟ ତାଙ୍କୁ ଅର୍ପଣ କଲେ | ପରେ ଯେତେବେଳେ ରଜିଙ୍କର ମୃତ୍ୟୁ ହୋଇଗଲା, ସେତେବେଳେ ଇନ୍ଦ୍ର ଯାଚନା କରିବା ସତ୍ତ୍ବେ ବି ରଜିଙ୍କର ପୁତ୍ରମାନେ ତାଙ୍କୁ ସ୍ବର୍ଗ ଫେରାଇଲେ ନାହିଁ | ଇନ୍ଦ୍ରଙ୍କ ସ୍ଥାନରେ ଯଜ୍ଞଭାଗ ସେମାନେ ସ୍ବୟଂ ଗ୍ରହଣ କରିବାରେ ଲାଗିଲେ | ସେତେବେଳେ ଇନ୍ଦ୍ରଙ୍କ ପ୍ରାର୍ଥନାରେ ଦେବଗୁରୁ ବୃହଷ୍ପତି ଅଭିଚାର-ବିଧିରେ ହୋମ କଲେ | ତଦ୍ବାରା ରଜିଙ୍କର ପୁତ୍ରମାନେ ଧର୍ମ ମାର୍ଗରୁ ଭ୍ରଷ୍ଟ ହୋଇଗଲେ ଏବଂ ଇନ୍ଦ୍ର ଅନାୟାସରେ ସେମାନଙ୍କୁ ମାରି ଦେଲେ | ସେମାନଙ୍କ ମଧ୍ୟରୁ କେହି ମଧ୍ୟ ଜୀବିତ ରହିଲେ ନାହିଁ | କ୍ଷତ୍ରବୃଦ୍ଧଙ୍କର ପୌତ୍ର କୁଶଙ୍କଠାରୁ ପ୍ରତି, ପ୍ରତିଙ୍କଠାରୁ ସଞ୍ଜୟ ଏବଂ ସଞ୍ଜୟଙ୍କଠାରୁ ଜୟ ଜନ୍ମ ଗ୍ରହଣ କଲେ |

ତତଃ କୃତଃ କୃତସ୍ୟାପି ଜଜ୍ଞେ ହର୍ୟବନୋ ନୃପଃ ।

ସହଦେବସ୍ତତୋ ହୀନୋ ଜୟସେନସ୍ତୁ ତତ୍ସୁତଃ ॥ ୧୭॥

ଜୟଙ୍କଠାରୁ କୃତ, କୃତଙ୍କଠାରୁ ରାଜା ହର୍ଯବନ, ହର୍ଯବନଙ୍କଠାରୁ ସହଦେବ, ସହଦେବଙ୍କଠାରୁ ହୀନ ଏବଂ ହୀନଙ୍କଠାରୁ ଜୟସେନ ନାମକ ପୁତ୍ର ଜାତ ହେଲା |

ସଙ୍କୃତିସ୍ତସ୍ୟ ଚ ଜୟଃ କ୍ଷତ୍ରଧର୍ମା ମହାରଥଃ ।

କ୍ଷତ୍ରବୃଦ୍ଧାନ୍ୱୟା ଭୂପା ଶୃଣୁ ବଂଶଂ ଚ ନାହୁଷାତ୍ ॥ ୧୮॥

ଜୟସେନଙ୍କର ସଙ୍କୃତି ଏବଂ ସଙ୍କୃତିଙ୍କର ପୁତ୍ର ହେଲେ ମହାରଥୀ ବୀରଶିରୋମଣି ଜୟ | କ୍ଷତ୍ରବୃଦ୍ଧଙ୍କର ବଂଶ-ପରମ୍ପରାରେ ସମୁଦାୟ ଏତିକି ନରପତି ଥିଲେ | ଏବେ ନହୁଷବଂଶର ବର୍ଣ୍ଣନା ଶୁଣ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ନବମସ୍କନ୍ଧେ ଚନ୍ଦ୍ରବଂଶାନୁବର୍ଣନେ ସପ୍ତଦଶୋଽଧ୍ୟାୟଃ ॥ ୧୭॥

Comments

Popular posts from this blog